ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ପାଇଁ ବୈଠକ ଅନୁଷ୍ଠିତ ।

ଯାଜପୁର, ୨୦/୦୬(ପିପିଟି): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ନିମନ୍ତେ ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ଯଥାଶୀଘ୍ର ଜ୍ୱରରେ ପୀଡ଼ିତ ରୋଗୀଙ୍କ ମ୍ୟାଲେରିଆ ରକ୍ତ ପରୀକ୍ଷା କରି ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଆବାସିକ ସ୍କୁଲରେ ମଶାରୀ ବ୍ୟବହାର ସମ୍ପର୍କରେ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଭାସୀ ମାଧ୍ୟମରେ ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ସଚେତନ କରାଯିବ। ଏହାସହ ଆଗାମୀ ତିନି ମାସ ପାଇଁ ଭେକ୍ଟର ବାହିତ ରୋଗ ସମ୍ପର୍କରେ ସରପଞ୍ଚମାନଙ୍କୁ ସଚେତନ କରାଯିବ। ସଭା ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଭିବିଡି) ଡ. ରଶ୍ମୀ ରଞ୍ଜନ ସାହୁ ଏବଂ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବୈଷୟିକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡା. ନିଶିଥ କୁମାର ଦାଶ, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅନୁପ କୁମାର ମିଶ୍ର, ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ା. ମନୋରମା ସ୍ୱାଇଁ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ପରାମର୍ଶଦାତା, ଶିଳ୍ପ ପ୍ରତିଷ୍ଠାନର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ।

Comments (0)
Add Comment