ଜିଲ୍ଲା ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ।

ଯାଜପୁର,୦୨/୦୯(ପିପିଟି): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ମୁଖ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର (୨୦୨୬-୨୭) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ଓ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଶିବିରରେ ମୋଟ ୩୫୩ ଜଣ ଭିନ୍ନକ୍ଷମ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୧୬୫ ଜଣ ଶାରୀରିକ ଭିନ୍ନକ୍ଷମ (OH), ୩୧ ଜଣ ଦୃଷ୍ଟିହୀନ (VI), ୫୩ ଜଣ ଶ୍ରବଣବାଧିତ (HI), ୩୭ ଜଣ ମାନସିକ ଅଗ୍ରସର/ସିପି (MR/CP), ୪୫ ଜଣ ୧୪ ବର୍ଷରୁ କମ୍ ଶିଶୁ ଏବଂ ୨୨ ଜଣ ବହୁବିଧ ଭିନ୍ନକ୍ଷମ (MD) ଶିଶୁ/ବ୍ୟକ୍ତି ନାମ ପଞ୍ଜୀକରଣ କରିଥିଲେ।

ଶିବିରରେ ବିଶେଷଜ୍ଞ ଡାକ୍ତରୀ ଦଳ ଦ୍ୱାରା ମୋଟ ୨୮୨ ଜଣ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମୂଲ୍ୟାଙ୍କନ କରାଯାଇଥିଲା। ମୂଲ୍ୟାଙ୍କନ ପରେ ୧୩ ଜଣ ହିତାଧିକାରୀଙ୍କୁ ସହାୟକ ଉପକରଣ (୮ଟି ହୁଇଲ ଚେୟାର, ୩ଟି ଟ୍ରାଇ-ସାଇକେଲ, ୨ଟି ପ୍ରୋସ୍ଥେସିସ, ୧ଟି ଅର୍ଥୋସିସ, ୧ଟି କୋମୋଡ୍‌ ବିଶିଷ୍ଟ ହୁଇଲ ଚେୟାର, ୧ ଯୋଡ଼ା କ୍ରଚ୍) ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। ଏହା ସହ ୪୫ ଜଣଙ୍କୁ ଅନ୍ୟାନ୍ୟ ସରକାରୀ ସହାୟତା (୩୪ ଜଣଙ୍କୁ ବସ୍/ଟ୍ରେନ୍ ପାସ୍, ୮ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୩ ଜଣଙ୍କୁ ଡି.ଆର୍.ଆଇ. ଋଣ) ପାଇଁ ମନୋନୀତ କରାଯାଇଛି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବଳସାମନ୍ତଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ସ୍ୱରୂପ ୧ଟି ହୁଇଲ ଚେୟାର, ୧ ଯୋଡ଼ା କ୍ରଚ୍‌, ୩ ଜଣଙ୍କୁ ଆଧାର କାର୍ଡ ଏବଂ ୩ ଜଣଙ୍କୁ ଆୟ, ଜାତି ଓ ନିବାସ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଉନ୍ନୟନ ଅଧିକାରୀ, ଦାନଗଦି, ଶ୍ରୀ ପ୍ରଦୀପ କୁମାର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment