ଗୋପାଳପୁର,୦୫/୧୧(ପିପିଟି): ଗୋପାଳପୁର ବେଳାଭୂମି ଠାରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ୨୦୨୫ ଜିଲ୍ଲପାଳ ୱି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ସ୍ମୃତି ସ୍ୱରୂପ ଓଡ଼ିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ବୋଇତ ବନ୍ଦାଣ ଉତ୍ସବ ନଭେମ୍ବର ୫ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହେଉଛି । ଆଜି ପ୍ରାତଃ ୩ଘଟିକାରୁ ସାଧବ ସାଂସ୍କୃତିକ ସମାରୋହ,ମା ମଙ୍ଗଳା ଆରତୀ, ବୋଇତ ନାଟକ,ସାଧବ ଓ ସାଧବଣୀଙ୍କର ବୋଇତ ବନ୍ଦାଣ, ବୋଇତ ଗମନ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ ଘଟିକାରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୩ ଘଟିକା ରେ ପାରମ୍ପରିକ ପିଠା ପ୍ରତିଯୋଗିତା ହୋଇଥିଲା । ସାନ୍ଧ୍ୟ କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ନାଟକ ଓ ସ୍ଥାନୀୟ କଳାକାର ଓ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଆ ଗାୟକ ଓ ଗାୟିକା କୁଲଦୀପ ପଟ୍ଟନାୟକ,ଶୀତଳ କୁନମୁନ୍,ପ୍ରିୟଙ୍କା ସ୍ବାଇଁ,ଆଲୋକ କୁନ୍ଦୁ ସଙ୍ଗୀତ ପରିବେଷଣ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପଲ୍ଲୀଶ୍ରୀ ମେଳା ପ୍ରଦର୍ଶିତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର କମିଶନର ପ୍ରଥମେସ ଅରବିନ୍ଦ ରାଜଶିର୍କେ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଆର୍ମୀ କଲେଜର ଲେପ୍ଟନାଣ୍ଟ ଜେନେରାଲ ଆର ସି ଶ୍ରୀକାନ୍ତ, ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ ।