ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ ।

ମାଲକାନଗିରି, ୧୪/୧୦(ପିପିଟି):ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ବିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚାସୀନ ଥିଲେ। ଜିଲ୍ଲାରେ ଯେପରି କୌଣସି ମା’ କିମ୍ବା ଶିଶୁ କୁପୋଷଣର ଶିକାର ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଆମ ଶରୀର ପାଇଁ ସଠିକ୍‍ ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ପୋଷଣ ଯୁକ୍ତ ଖାଦ୍ୟ ନଖାଇଲେ ପୁଷ୍ଟିସାର ଅଭାବ ଜନିତ ରୋଗ ସୃଷ୍ଟି ହୋଇଥାଏ । ସାଧାରଣତଃ ପୁଷ୍ଟିସାର ଖାଦ୍ୟ ଅଭାବରୁ ନବଜାତ ଶିଶୁର ଠିକ୍‍ ଭାବେ ଶରୀର ଗଠନ ହୋଇପାରେ ନାହିଁ ଏବଂ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ । ଶିଶୁକୁ ୬ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ଆବଶ୍ୟକ । ସେହିପରି ପ୍ରସୂତି ମା’ ମାନେ ସନ୍ତୁଳିତ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦରକାର । ଗର୍ଭବତୀ, ପ୍ରସୂତି ଓ ଶିଶୁ ଉପଯୁକ୍ତ ପୋଷଣ ଅଭାବରୁ ବିଭିନ୍ନ ରୋଗର ଶିକାର ହେଉଥିବାରୁ ସେମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଜରୁରୀ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଧିକାରୀ ଇନ୍ଦିରା ପ୍ରଧାନ ସଂଯୋଜନା କରି ପୋଷଣ ମାସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କେଉଁ ଖାଦ୍ୟରେ ପୋଷଣ ଯୁକ୍ତ ତତ୍ୱ ରହିଛି ସେ ସଂପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ପିଠା ସହିତ ବିଭିନ୍ନ ପ୍ରକାର ଡାଲି ଓ ଶସ୍ଯ ଜାତୀୟ ଖାଦ୍ୟ ପରସାଯିବା ପାଇଁ ମା’ ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ, ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ପରି ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇ ଥିଲା। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment