ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର,୨୯/୦୧(ପିପିଟି): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀଗଣ, ଅଧ୍ୟାପିକା,ନରସିଂହ ସ୍ଵୟଂଶାସିତ ମହାବିଦ୍ୟାଳୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ,ସରକାରୀ ବହୁମୁଖି ଅନୁଷ୍ଠାନର ଅଧ୍ୟାପକ ଇତ୍ୟାଦି ଯୋଗଦାନ କରି ଏହି ନିଯୁକ୍ତି ମେଳାକୁ ସଫଳ କରିବା ଉଦ୍ଦେଶ୍ୟରେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଆସନ୍ତା ଫେବୃଆରୀ ୨୭ ତାରିଖରେ ନରସିଂହ ଚୌଧୁରୀ (ସ୍ଵୟଂଶାସିତ) ମହାବିଦ୍ୟାଳୟ ପରିସରରେ ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବା ପାଇଁ ବୈଠକ ରେ ନିଷ୍ପତି ନିଆଯାଇଅଛି। ଏହି ନିଯୁକ୍ତି ମେଳାରେ ବିଭିନ୍ନ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତାଙ୍କ ସମେତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହ ଅନୁବନ୍ଧିତ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାର ଅଧିକାରୀମାନଙ୍କୁ ଯୋଗଦେବା ପାଇଁ ନିଷ୍ପତି ହୋଇଛି। ଜିଲ୍ଲାର ସମସ୍ତ ବ୍ଲକର ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯେଭଳି ବହୁଳ ସଂଖ୍ୟାରେ ଏହି ବୃହତ ନିଯୁକ୍ତି ମେଳାର ଅଂଶ ଗ୍ରହଣ କରି ସୁଯୋଗ ନେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଏବଂ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଯୁକ୍ତି ମେଳା ସମ୍ବନ୍ଧରେ ଗ୍ରାମାଞ୍ଚଳରେ ରହୁଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯେଭଳି ବ୍ୟାପକ ଭାବେ ସଚେତନ ହୋଇ ଏହାର ସୁଯୋଗ ନେଇପାରିବେ ସେଥି ପାଇଁ ବ୍ଲକର କାର୍ଯ୍ୟକର୍ତ୍ତାମାନଙ୍କ ଜରିଆରେ ପ୍ରଚାର ପ୍ରସାର ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ,ଶିଳ୍ପ ତାଲିମ୍ କେନ୍ଦ୍ର ଏବଂ ଡିପ୍ଲୋମା ପାଠ୍ୟକ୍ରମ ଥିବା ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ ପାଇଁ ସୂଚନା ପ୍ରଦାନ ନିମନ୍ତେ ନିଷ୍ପତି ହୋଇଅଛି। ଯାଜପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ବୃହତ୍ କଂପାନୀଗୁଡ଼ିକୁ ମଧ୍ୟ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଅଛି । ନିଯୁକ୍ତି ମେଳା ସମୟରେ ଆଇନ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୂତୟନ,ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ଯୋଗାଇଦେବାକୁ ଆଲୋଚନା ହୋଇଥିଲା। ସେହି ଭଳି ଅଗ୍ନି ନିର୍ବାପକ ସୁରକ୍ଷା ପାଇଁ ସଂପୃକ୍ତ ବିଭାଗର କର୍ମଚାରୀମାନେ ମୂତୟନ ରହିବେ। ନିଯୁକ୍ତି ମେଳା ସମୟରେ ପାନୀୟ ଜଳ ଯୋଗାଣ ସହ ପରିମଳ ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଷ୍ପତି ହୋଇଛି। ନରସିଂହ ଚୌଧୁରୀ (ସ୍ଵୟଂଶାସିତ) ମହାବିଦ୍ୟାଳୟର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ଏହି ନିଯୁକ୍ତି ମେଳାରେ ସହଯୋଗ କରିବେ। ଏହି ବୈଠକ ଶେଷରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment