ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ।

ଯାଜପୁର,୨୧/୧୧(ପିପିଟି): ଯାଜପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଗୁରୁବାର ତା ୨୦.୧୧.୨୦୨୫ ରିଖ ଦିନ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଯାଜପୁର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅମ୍ବର କୁମାର କର ଅଧ୍ୟକ୍ଷତା କରିଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ଆସନ୍ତା ଜାନୁଆରୀ ୭ ତାରିଖ ଠାରୁ ଧାନ କ୍ରୟ କରାଯିବା ନେଇ ବୈଠକରେ ସ୍ଥିରୀକୃତ ହୋଇଥିଲା। ବୈଠକରେ ଯାଜପୁର ବିଧାୟିକା ସୁଜାତା ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତପନ କୁମାର ମହାପାତ୍ର ଓ ସମବାୟ ଅଧିକାରୀ ଅମୂଲ୍ୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ସ୍ଵାଗତ କରି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କୁ ଆଗେଇ ନେଇଥିଲେ। ଚାଷୀ ମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମଣ୍ଡିର ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠାଇବା ପାଇଁ ପଦକ୍ଷେପ ନିମନ୍ତେ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ମଣ୍ଡିରେ ଜଣେ ଲେଖାଏ ନୋଡାଲ ଅଧିକାରୀ ଓ ୪-୫ଟି ମଣ୍ଡି ପାଇଁ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ନିୟୋଜିତ ହେବେ। ଧାନର ମାନ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ପଂଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଚଳିତ ବର୍ଷ ଏଫ୍.ଏ.କ୍ୟୁ ମାନର ଧାନର କ୍ଵିଣ୍ଟାଲ ପିଛା ଦର ୨୩୬୯ ଟଙ୍କା ଓ ଗ୍ରେଡ ଏ ଧାନର ମୂଲ୍ୟ ୨୩୮୯ ଟଙ୍କା ଧାର୍ଯ୍ୟ ରହିଅଛି। ରାଜ୍ୟ ସରକାର ଘୋଷଣା କରିଥିବା ୮ ଶହ ଟଙ୍କା ଇନପୁଟ ସହାୟତା ଚାଷୀ ପାଇବେ। ଜିଲ୍ଲାର ଖରିଫ ଧାନ ନିମନ୍ତେ ୫୯୯୬୧ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଜିଲ୍ଲାରେ ୧୩୯ ଗୋଟି ଧାନ କ୍ରୟ କେନ୍ଦ୍ର, ସମବାୟ ସଂସ୍ଥା ଦ୍ୱାରା ସ୍ଥିରୀକୃତ ହୋଇଥିବା ବେଳେ ୪୨ ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଧାନ ସଂଗ୍ରହ କରିବେ। ଚଳିତ ବର୍ଷ ଜିଲ୍ଲାରେ ପ୍ରଥମ ସୋପାନରେ ୧୩,୧୧,୦୦୦ କ୍ଵିଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଅଛି। ଏହି ବୈଠକରେ ଚାଷୀ ପ୍ରତିନିଧି, ମିଲର୍ସ ପ୍ରତିନିଧି,ପ୍ୟାକ୍ସ କର୍ମଚାରୀ,ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତା ତଥା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments (0)
Add Comment