ମାଲକାନଗିରି,୦୫/୦୮(ପିପିଟି):ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ଯାଳୟରେ ବର୍ତ୍ତମାନ କର୍ମଚାରୀ ମରୁଡି ଦେଖା ଦେଇଛି । କେବଳ ଜଣେ ମାତ୍ର ସରକାରୀ କର୍ମଚାରୀରେ କାର୍ଯ୍ଯାଳୟ ଠେଲାପେଲାରେ ଚାଲିଛି,ଯାହାକି ଶ୍ରମ ବିଭାଗ ଭଳି କାର୍ଯ୍ଯାଳୟଟି ଏକ ପ୍ରକାର ଅସାହାୟ ଅବସ୍ଥାକୁ ଗତି କଲାଣି । ରାଜ୍ଯ ସରକାରଙ୍କ ଚରମ ଅବହେଳା ଯୋଗୁଁ ଏପରି ସରକାରୀ କାର୍ଯ୍ଯାଳୟ ଗୁଡିକ ଧୀରେ ଧୀରେ ସ୍ଥାଣୁ ପାଲଟିବାକୁ ଯାଉଛି । ମାଲକାନଗିରି ଜିଲ୍ଲା ଶ୍ରମ ବିଭାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପଦବୀ ଖାଲି ପଡିଛି । ଏହା ପୂର୍ବରୁ ମଦନ ମୋହନ ପାଇକ ଥିଲେ,ତାଙ୍କର ବଦଳି ପରେ ଭବାବିପାଟଣାର ଡିଏଲସିକୁ ମାଲକାନଗିରି ଶ୍ରମ କାର୍ଯ୍ଯାଳୟରେ ଭାରପ୍ରାପ୍ତ ଡିଏଲସି ଭାବେ ଦାୟିତ୍ବ ଦିଆ ଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ପଦବୀ ୨ଟି ଥିଲା ବେଳେ ବର୍ଷ ବର୍ଷ ଧରିଏହି ୨ଟି ପଦବୀ ଖାଲି ପଡିଛି । ବର୍ତ୍ତମାନ ଶ୍ରମ କାର୍ଯ୍ଯାଳୟକୁ ଚଳାଇବା ପାଇଁ ସହକାରୀ ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କଅଁରକୁ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦାୟିତ୍ବ ନ୍ଯସ୍ତ କରାଯାଇଛି । ସେ ହିଁ ଏକ ମାତ୍ର ସରକାରୀ କର୍ମଚାରୀ, ଯିଏ କି ଜିଲ୍ଲା ଶ୍ରମ କାର୍ଯ୍ଯାଳକୁ ବହୁ ଚାପ ଗ୍ରସ୍ଥ ହୋଇ ଚଳାଉଛନ୍ତି । ସହକାରୀ ଶ୍ରମ ଅଧିକାରୀ ପ୍ରତ୍ଯେକ ବ୍ଲକରେ ଜଣେ ଲେଖାଏଁ ରହିବା କଥା ।ମାଲକାନଗିରି ଜିଲ୍ଲାରେ ୮ଟି ଏଏଲଓ ପଦବୀରୁ କେବଳ ବିଶ୍ବରଞ୍ଜନ କଅଁର ହିଁ ଏଏଲଓ ଭାବେ ଅବସ୍ଥାପିତି । କିରାଣୀ ୨ଟି ପଦବୀ ଖାଲିଥିଲେ ମଧ୍ଯ ଏହି ପଦବୀରେ କେହି ଜଣେ କିରାଣୀ ନିଯୁକ୍ତି ହୋଇ ନାହାନ୍ତି । ଚପରାସୀ ଏବଂ ରାତ୍ର ଜଗୁଆଳୀ ୨ଟି ପଦବୀ ଖାଲି ପଡିଛି । କାର୍ଯ୍ଯାଳୟ ଅପରିସ୍କାର ହେଲେ ନିଜେ ଅଫିସର ଝାଡୁ ମାରି ବସୁଥିବା ଦେଖିବାକୁ ମିଳୁଛି । ତେବେ ଶ୍ରମ କାର୍ଯ୍ଯାଳୟରେ ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜିକରଣ କରିବା,ଅଣ ସଂଗଠିତ ଶ୍ରମିକମାମଙ୍କ ନାମ ପଞ୍ଜିକରଣ କରିବା,ସରକାରୀ ସହାୟତା ଯୋଗାଇ ଦେବା, ଶ୍ରମିକମାନଙ୍କୁ ଠିକାଦାରମାନେ ଶୋଷଣ କଲେ ଉକ୍ତ ମାମଲାର ସମାଧାନ କରିବା, ଶିଶୁମଶ୍ରମିକ ମାନଙ୍କୁ କୌଣସି କାର୍ଯ୍ଯରେ ବିନିଯୋଗ କଲେ ସେଥିରୁ ନିବୃତ୍ତ କରାଇବା, ଜନସଚେତନ କରାଇବା ଆଦି ବହୁ ଗୁରୁତ୍ବ ପୂର୍ଣ୍ଣ କାର୍ଯ୍ଯ ରହିଛି । ତେବେ ଜଣେ ମାତ୍ର ସରକାରୀ କର୍ମଚାରୀରେ କିପରି ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ଯାଳୟ ଚାଲିଛି “ମୋ ସରକାର”ଙ୍କ ପ୍ରତି ଏକ ଉପହାସ ବା ଲୋକମାନଙ୍କୁ ସେବା ଯୋଗାଇବାରେ ଏକ ଛଳନା କହିଲେ ଅତ୍ଯୁକ୍ତି ହେବ ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)