ଜିଲ୍ଲା ବିଜେଡି କାର୍ଯ୍ୟକ୍ରମରେ ବର୍ଷା ଅନୁପସ୍ଥିତ ।

ଯାଜପୁର,୦୯/୧୦(ପିପିଟି):ଆଜି ନିର୍ବାଚନ ପରେ ପ୍ରଥମ ଥର ପାଇଁ ଯାଜପୁର ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ,ଯାଜପୁର ବିଧାୟିକା ସୁଜାତା ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅସୁସ୍ଥତା ପାଇଁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ନଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ପଦାଧିକାରୀ ମାନେ ମଧ୍ୟ ଯୋଗଦେଇଥିଲେ । ହେଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ବୈଠକରେ ଯୋଗଦେଇ ନଥିଲେ । ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନଦେବାରୁ ସେବେଠାରୁ ଅମର ମାନସିକ ଭାବେ ଦଳଠାରୁ ଦୁରେଇ ଯାଇଛନ୍ତି । ନା ଦଳ ତାଙ୍କୁ ଖୋଜୁଛି ନା ସେ ଆଉ ଦଳ ସହିତ ଯୋଡି ହେଉଛନ୍ତି । ଏପରି ସ୍ଥଳେ ଆଜି ସମସ୍ତେ ଆଶା କରିଥିଲେ ବର୍ଷା ପ୍ରିୟଦର୍ଶିନୀ ବୈଠକରେ ଯୋଗଦାନ କରିବେ । ଏହା ପଛରେ କାରଣ ବି ଥିଲା । କାରଣ ଗାନ୍ଧୀ ଜୟନ୍ତୀ ଦିନ ବର୍ଷା ବଡ଼ଚଣାରେ ଉପସ୍ଥିତ ହୋଇ ପଦଯାତ୍ରା କରି ନିଜ ଉପସ୍ଥିତି ଜାହିର କରିଥିଲେ । ହେଲେ ମାତ୍ର ୭ ଦିନ ମଧ୍ୟରେ ବର୍ଷାଙ୍କର କିନ୍ତୁ ଯାଜପୁରରେ ଦେଖା ମିଳିଲା ନାହିଁ । କେବଳ ବର୍ଷା ନୁହଁନ୍ତି ଜନ୍ମେଜୟଙ୍କ ସହିତ ରାଜ ନାରାୟଣ ମଧ୍ୟ ଆଜି ଅନୁପସ୍ଥିତ ରହିଥିଲେ । ଫଳରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେଡି ନେତୃତ୍ୱ ଶୁନ୍ୟ ହୋଇଛି ବୋଲି ଆଲୋଚନା ହେଉଛି । ହେଲେ ଦଳର ଏହି ସ୍ଥିତି ପାଇଁ ଖୋଦ ବିଜେଡି ନେତୃତ୍ୱ ହିଁ ଦାୟୀ । ଜଣେ ଅନୁଭବୀ ତଥା ବରିଷ୍ଠ ରାଜନେତା ଅମରଙ୍କୁ ନିନ୍ଦିତ କରି ବିଜେଡି ଯେଉଁ କର୍ମ କରିଛି ତାର ଫଳ ମିଳିବା ଆରମ୍ଭ ହୋଇଛି ବୋଲି ଆଲୋଚନା ହେଉଛି । କିଛି ଦିନ ହେଲା ପାଟିବାରିକ ବିବାଦକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିଲେ ବର୍ଷା । ଦଳ ସହିତ ନାମକୁ ମାତ୍ର ସଂପୃକ୍ତ ରହିଥିଲେ ମଧ୍ୟ ଦଳ କିନ୍ତୁ ତାଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଥିଲା । ବଡ଼ଚଣା ସହିତ କୌଣସି ସମ୍ପର୍କ ନଥାଇ ତାଙ୍କୁ ଟିକେଟ ଦେବା ଓ ଜନ୍ମେଜୟ ଏବଂ ରାଜ ନାରାୟଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦଳ ଦେଇ ଏକ ନିଶ୍ଚିତ ବିଜୟୀ ପ୍ରାର୍ଥୀ ଅମରଙ୍କୁ ଦଳ ହରାଇ ସାରିଛି । ଏବେ ବର୍ଷା ଦଳ ପାଇଁ କେଉଁ ଭୂମିକାରେ ରହିଛନ୍ତି ତାହା ବି ସନ୍ଦେହ ଘେରରେ ରହିଛି । ବର୍ଷାଙ୍କୁ ଟିକେଟ ଦେଲେ ବର୍ଷା ଖୁବ ବର୍ଷିବେ ଓ ବିଜେଡି ଶସ୍ୟ ଶ୍ୟାମଳା ହୋଇପଡିବ ବୋଲି ଦଳୀୟ ନେତୃତ୍ୱ ଧରି ନେଇଥିଲେ । ହେଲେ ବର୍ଷା ନା ବର୍ଷିଲେ ନା ଦଳ ଶସ୍ୟ ଶ୍ୟାମଳା ହେଲା । ହେଲେ ବର୍ଷାଙ୍କ ଆଗମନ ବଡ଼ଚଣାରେ ଦଳକୁ ଘୋର ମରୁଡି ଆଡ଼କୁ ନେଇ ସାରିଛି । ଦଳ ଭାଗ ଭାଗ ହୋଇ ସାରିଛି । ଆଉ ବର୍ଷାଙ୍କ ପାଇଁ ଅମରଙ୍କ ଭଳି ଜଣେ ଲୋକପ୍ରିୟ ନେତା କିନ୍ତୁ ଦଳ ଠାରୁ ଦୂରେଇ ଯାଇଛନ୍ତି । ଆଉ ଏହା ପଛରେ ସାରା ରାଜ୍ୟରେ ନିନ୍ଦିତ ହୋଇଥିବା ନେତାଙ୍କ ଉନ୍ନତ ଚିନ୍ତାଧାରା ଯେ ରହିଛି ଏହା କାହାକୁ ଅଛପା ନୁହେଁ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ)

Comments (0)
Add Comment