ଜିଲ୍ଲା ପ୍ରଶାସନ ଏବଂ ଓରମାସ ଉଦ୍ୟମରେ ଗଞ୍ଜାମ ଜିଲ୍ଲାର ଟମାଟୋ ଚାଷୀମାନଙ୍କୁ ମିଳିଲା ଆଶ୍ୱସ୍ତି ।

ଛତ୍ରପୁର,୧୬/୦୩(ପିପିଟି):ଯେତେବେଳେ କୌଣସି ପରିବା ର ପ୍ରଚୁର ଉତ୍ପାଦନ ହୁଏ, ସେତେବେଳେ ତାହାର ବଜାର ମୂଲ୍ୟ ବହୁତ କମିଯାଇଥାଏ । ଫଳରେ ଚାଷୀମାନେ ତାଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇପାରନ୍ତି ନାହିଁ । ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟମାଟୋର ଅଧିକ ଉତ୍ପାଦନ ହେବାରୁ ବଜାର ଦର ହଠାତ୍ କମି ଯାଇ ପ୍ରତି କିଲୋଗ୍ରାମକୁ ୨ ରୁ ୩ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଥିଲା । ସଠିକ୍ ବଜାର ସଂଯୋଗ ନଥିବାରୁ ଅନେକ ଚାଷୀ ବାଧ୍ୟ ହୋଇ ନିଜ ଉତ୍ପାଦନକୁ ଅତ୍ୟନ୍ତ କମ୍ ଦରରେ ବିକ୍ରୟ କରୁଥିଲେ କିମ୍ବା କେତେକ ସ୍ଥାନରେ ଟମାଟୋକୁ ଅମଳ ନ କରି ବିଲରେ ଛାଡ଼ି ମନଦୁଃଖରେ ଚାଲିଯାଉଥିଲେ ।

ଚାଷୀମାନଙ୍କ ଏହି ସମସ୍ୟା ସମ୍ବନ୍ଧରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଓ ଅନ୍ୟାନ୍ୟ ଜରିଆରେ ଅବଗତ ହେବା କ୍ଷଣି ଚାଷୀମାନଙ୍କୁ ଏହି ସମସ୍ୟାରୁ ଯଥାଶୀଘ୍ର ମୁକୁଳେଇବା ପାଇଁ ଓରମାସକୁ ଆବଶ୍ୟକ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଓରମାସର ଜିଲ୍ଲା କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଟମାଟୋ ଦର ସ୍ଥିର କରିବା ସହିତ ଚାଷୀମାନଙ୍କୁ ଯଥୋଚିତ ମୂଲ୍ୟ ପାଇବାରେ ସହଯୋଗ କରୁଛନ୍ତି ।

ଓରମାସ ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ଭାରତ ମସଲା (ପ୍ରୋସେସିଂ କମ୍ପାନୀ) ସହ ଏକ ବଜାର ସଂଯୋଗ ସୃଷ୍ଟି କରିଛି । ଏହି ପଦକ୍ଷେପ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟରତ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ମାନଙ୍କ ମାଧ୍ୟମରେ ଚାଷୀମାନଙ୍କ ପାଖରୁ ସିଧାସଳଖ ଭାବରେ ଟମାଟୋ କ୍ରୟ କରାଯାଇ ଉକ୍ତ କମ୍ପାନୀକୁ ବିକ୍ରୟ କରାଯାଉଛି ।

ଏହାର ଫଳରେ ଚାଷୀମାନେ ପ୍ରତି କିଲୋଗ୍ରାମ ଟମାଟୋ ଏବେ ୬ ଟଙ୍କା ଦରରେ ବିକ୍ରୟ କରିପାରୁଛନ୍ତି, ଯାହା ତାଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି । ଏହା ଫଳରେ ସେମାନେ ଆଉ ଫସଲକୁ ନଷ୍ଟ କରିବାକୁ ବାଧ୍ୟ ହେଉନାହାଁନ୍ତି ।

ଜିଲ୍ଲା ପ୍ରଶାସନ ଏବଂ ଓରମାସର ଏହି ତ୍ୱରିତ ପଦକ୍ଷେପର ସକାରାତ୍ମକ ପ୍ରଭାବ ସ୍ଥାନୀୟ ବଜାରଗୁଡିକରେ ପରିଲକ୍ଷିତ ହେବାରେ ଆରମ୍ଭ ହୋଇସାରିଛି । ପୂର୍ବରୁ ଅତ୍ୟନ୍ତ କମ୍ ଦର ଦେଇ ଚାଷୀମାନଙ୍କୁ ଏକ ପ୍ରକାର ମନସ୍ତାପରେ ପକାଉଥିବା ସ୍ଥାନୀୟ ବ୍ୟବସାୟୀମାନେ ବିକଳ୍ପ ବଜାର ବ୍ୟବସ୍ଥା ହେବା ପରେ ଅନେକାଂଶରେ ସଚେତନ ହୋଇଯାଇଛନ୍ତି ଏବଂ ଚାଷୀମାନଙ୍କୁ ସମୁଚିତ ମୂଲ୍ୟ ଦେବା ଆରମ୍ଭ କରିଛନ୍ତି ।

ଚାଷୀ ଭାଇଭଉଣୀମାନେ ବହୁତ କଷ୍ଟକରି ଫସଲ ଉତ୍ପାଦନ କରୁଛନ୍ତି, ତେଣୁ ସେମାନଙ୍କୁ ସବୁବେଳେ ଉଚିତ ମୂଲ୍ୟ ମିଳିବା ଦରକାର । ଏହା ଆମ ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ । କାରଣ ଯଦି ଚାଷୀ ଭାଇଭଉଣୀମାନଙ୍କ ପରିଶ୍ରମର ଯଥୋଚିତ ମୂଲ୍ୟ ନ ମିଳେ ଓ ଚାଷ କମିଯାଏ, ତେବେ ସମାଜର ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଭାବିତ ହେବେ । ଏହି କଥାକୁ ହୃଦୟଙ୍ଗମକରି ଚାଷୀମାନଙ୍କୁ ସବୁବେଳେ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଜିଲ୍ଲା ପ୍ରଶାସନ ଏବଂ ଓରମାସ ଚାଷୀମାନଙ୍କ ପାଇଁ ଯଥୋଚିତ ଓ ସ୍ଥିର ଦର ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ଓ ଜାତୀୟ ବଜାର ସଂଯୋଗକୁ ଆହୁରି ସୁଦୃଢ କରିବା ସହ ଏଫପିଓ ମାନଙ୍କ ମାଧ୍ୟମରେ ଭ୍ୟାଲୁ ଚେନକୁ ଆହୁରି ବିସ୍ତାରିତ କରିବା ପାଇଁ ସଂକଳ୍ପବଦ୍ଧ ।

Comments (0)
Add Comment