ମାଲକାନଗିରି, ୧୫/୦୭(ପିପିଟି):ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦର ୭୬ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସଭାରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାର ପ୍ରଗତି ଓ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିଥିଲେ।
ଏହି ବୈଠକରେ ମୁଖ୍ୟତଃ କୃଷି ଓ ଚାଷୀଙ୍କ ସମସ୍ୟା ଉପରେ ବ୍ୟାପକ ଆଲୋଚନା କରାଯାଇ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଚାଷୀମାନେ କିପରି ଅଧିକ ପରିମାଣରେ ଧଣିଚା ବୁଣିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଚିତ୍ରକୋଣ୍ଡା ଅଞ୍ଚଳରେ ଜୈବିକ ଚାଷର ବହୁଳ ସମ୍ଭାବନା ଥିବାରୁ ସେଠାକାର ଚାଷୀଙ୍କୁ ଏଥିପାଇଁ ଅଧିକ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ସହ ଜିଲ୍ଲାରେ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସାର କ୍ରୟ ଓ ଏହାର ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକର ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ କହିଛନ୍ତି, ଆମ ଜିଲ୍ଲାର ବିକାଶ ପ୍ରକ୍ରିୟା ଚାଷୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ଉପରେ ପର୍ଯ୍ୟବେସିତ। ଚିତ୍ରକୋଣ୍ଡାରେ ଜୈବିକ ଚାଷର ପ୍ରସାର ଏବଂ ପ୍ରତିଟି ଗାଁକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଆମର ମୁଖ୍ୟ ସଂକଳ୍ପ। ତୃଣମୂଳ ସ୍ତରରେ ଜନ ପ୍ରତିନିଧି ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ।
ଅନ୍ୟପଟେ ବର୍ଷା ଋତୁର ଆଗମନ ହେତୁ ଜିଲ୍ଲାରେ ବିଭିନ୍ନ ସଂକ୍ରମିତ ରୋଗର ଆଶଙ୍କା ଥିବାରୁ ସମସ୍ତଙ୍କୁ ସଜାଗ ରହିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଓ ଚିକିତ୍ସା ଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ସହ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଉପରେ ଜନପ୍ରତିନିଧିମାନେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଥିଲେ। ଏଥିସହିତ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ଶିକ୍ଷକ ପୋଷ୍ଟିଙ୍ଗ୍ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା।ବୈଠକରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଥିଲା। ପାନୀୟ ଜଳ ସମ୍ପର୍କିତ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବା ସହ ନୂତନ ପ୍ରକଳ୍ପ ଏବଂ ବର୍ତ୍ତମାନ ଚାଲୁ ରହିଥିବା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ ଗୃହରେ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ଜନଜାତି ଉନ୍ନୟନ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ ଏବଂ ସମାଜ ମଙ୍ଗଳ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଥିଲା। ବିଶେଷ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ କରିବା, ନୂତନ ରାସ୍ତା ନିର୍ମାଣ ଓ ମରାମତି କରିବା ଏବଂ ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ନୂତନ ପ୍ରସ୍ତାବ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ଲକ ଓ ପଞ୍ଚାୟତଗୁଡ଼ିକରେ ଚାଲୁଥିବା କାର୍ଯ୍ୟର ସବିଶେଷ ତଥ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଉପସ୍ଥାପନ କରିଥିଲେ।ସମସ୍ତ ପ୍ରସ୍ତାବ ଓ ସମସ୍ୟା ଶୁଣିବା ପରେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଜନପ୍ରତିନିଧିମାନଙ୍କ ଦ୍ୱାରା ଉତ୍ଥାପିତ ପ୍ରତ୍ୟେକ ସମସ୍ୟା ଓ ପ୍ରସ୍ତାବ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ। ସମସ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସାରି ରାସ୍ତା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଭଳି ଚାଲୁ ରହିଥିବା ସମସ୍ତ ପ୍ରକଳ୍ପକୁ ଶେଷ କରନ୍ତୁ। କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପ୍ରଶାସନ ସଦା ସର୍ବଦା ପ୍ରତିବଦ୍ଧ। ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରତ୍ୟେକ ଜନକଲ୍ୟାଣମୂଳକ ଯୋଜନାକୁ ତ୍ୱରାନ୍ୱିତ କରି ଜିଲ୍ଲାର ପ୍ରଗତିକୁ ଆଗକୁ ନେବା ପାଇଁ ବୈଠକରେ ସମସ୍ତେ ମତପ୍ରକାଶ କରିଥିଲେ।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)