ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ଉପ ନିର୍ଦେଶକ ଓ ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

ମାଲକାନଗିରି,୦୫/୦୨(ପିପିଟି) :ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦେଶକ ତଥା ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ କୁମାର ମହାପାତ୍ରଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନସ୍ ଚଢଉ କରିଛି। ଆୟବହିର୍ଭୁତ ସଂପତ୍ତି ଠୁଳ ନେଇ ଅଭିଯୋଗ ପରେ ମାଲାକନଗିରି, ଜୟପୁର ଏବଂ ନବରଂଗପୁର ଭିଜିଲାନସ ପକ୍ଷରୁ ଚଢାଉ କରାଯାଇଛି।
ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଜୟପୁରସ୍ଥିତ ତିନି ମହଲା କୋଠାରେ ଚଢ଼ାଉ କରାଯିବା ସହ ଅନ୍ୟ ସହକର୍ମୀ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ,ଡାଟା ଏଣ୍ଟ୍ରି ଅପରେଟର ଅଭିଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।ମାଲାକନଗିରି ଜଳ ବିଭାଜିକା କାର୍ଯ୍ୟାଳୟ, କଟକ ଜିଲ୍ଲାର ନୂଆପଡାର ପୈତୃକ ଘର, ଭୁବନେଶ୍ବରର ସଂପକ୍ରୀୟଙ୍କ ଘରେ ଚଢ଼ାଉ ଏକାସଂଗେ କରାଯାଉଛି। ବର୍ତ୍ତମାନ ସୁଦ୍ଧା ନଗଦ ୨ କୋଟି ଟଙ୍କା, ୩୦୦ ଗ୍ରାମ ସୁନା ଜବତ ହୋଇଛି।ଏହା ଛଡା ୬୦୦୦ ବର୍ଗ ଫୁଟର ୩ ମହଲା କୋଠାଘର, ୪ଟି ଦାମୀ ପ୍ଲଟ ଭୁବନେଶ୍ବର ଏବଂ ଜୟପୁରରେ, ଭୁବନେଶ୍ବର ହଂସପାଳରେ ୩୩ ଡିସିମିଲର ପ୍ଲଟ, ଜୟପୁରୁରେ ୨ଟି ପ୍ଲଟ, ୫୫ ଡିସିମିଲ ଜମି ଜୟପୁରରେ, ଗୋଟିଏ କାର, ଦୁଇଟି ମଟର ବାଇକ୍‌, ବ୍ୟାଙ୍କରେ ଟଙ୍କା ଜମା ଏବଂ ଜୀବନ ବୀମା ନେଇ ତଦନ୍ତ ଚାଲିଥିବା ଜଣାପଡିଛି। ସେହିପରି ଅନ୍ୟ ୩ ଜଣ ସହଯୋଗୀମାନଙ୍କ ଘରେ ମଧ୍ୟ ଟଙ୍କା ଏବଂ ଅନ୍ୟ ସାମଗ୍ରୀ ମିଳିଥିବା ସୂଚନା ମିଳିଛି। ଏହି ୩ ଜଣ ଶ୍ରୀ ମହାପାତ୍ରଙ୍କ ଖାସ ଲୋକ ବୋଲି କୁହାଯାଉଛି। ଏମାନଙ୍କ ସହ ଯୋଗାଯୋଗ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କୁହାଯାଇଛି।
ପ୍ରକାଶ ଯୋଗ୍ୟ ଯେ ଶାନ୍ତୁନୁ କୁମାର ମହାପାତ୍ର ମାଲକାନଗିରି ଜିଲ୍ଲାରେ ୨୦୨୧ ଅଗଷ୍ଟ ମାସରେ ଜଳ ବିଭାଜିକାର ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବରୁ ସେ କୋରାପୁଟ,ବ୍ରହ୍ମପୁର ରେ ଏପିଡି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଜାନୁଆରି ୨୦୨୭ରେ ସେ ଅବସର ଗ୍ରହଣ କରିଥାନ୍ତେ। ମାତ୍ର ଭିଜିଲାନ୍ସ ଜାଲରେ ସେ ଛନ୍ଦି ହୋଇଥିବା
ଜଣାପଡ଼ିଛି।
ମାଲକାନଗିରି ଜଳ ବିଭାଜିକା କାର୍ଯ୍ୟଳୟ ତରଫରୁ ହିତାଧିକାରୀଙ୍କ ପୋଖରୀ ଖନନ, କାଜୁ ଚାରା ରୋପଣ, ସାର୍ ବଣ୍ଟନ। ମାଛ ଯାଆଁଳା ବଣ୍ଟନ, କାଜୁ ଗଛରେ ବାଡ ପାଇଁ ସେଡ୍ ନେଟ ସପ୍ଲାଇ, ଜଳ ଓ ମୃତ୍ତିକା ସଂରକ୍ଷଣ ପାଇଁ ଅନେକ ଉନ୍ନୟନ କାର୍ଯ୍ୟ କରି କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଟେଣ୍ଡର ମାଧ୍ୟମରେ ଏହି କାର୍ଯ୍ୟ କରାଯାଇ ଭେଣ୍ଡରଙ୍କ ଠାରୁ ନଗଦ ଟଙ୍କା ଆତ୍ମସାତ କରିଥିବା କୁହାଯାଇଛି। ଭିଜିଲାନସ ବିଭାଗର ସଂପୂର୍ଣ୍ଣ ତଦନ୍ତ ପରେ ହିଁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟାୟନ କରି ହେବ ବୋଲି ବୋଲି ଭିଜିଲାନସ ପକ୍ଷରୁ ସୂଚନା ମିଳିଛି।
ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନସପେକ୍ଟର,୬ ଜଣ ଏଏସଆଇ ସମେତ ଅନ୍ୟ ସହଯୋଗୀମାନେ ଅଂଶଗ୍ରହଣ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment