ଛତ୍ରପୁର,୨୨/୦୫(ପିପିଟି) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଛତ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି “ନାଲସା ଜାଗୃତି ଯୋଜନା–୨୦୨୫” ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସେ ସାଧାରଣ ଲୋକଙ୍କୁ ନିଶୁଳ୍କ ଆଇନ ସହାୟତା,ନ୍ୟାୟ ପ୍ରାପ୍ତିର ସୁବିଧା ଏବଂ ସଚେତନତାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।
ଛତ୍ରପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ପୂଜା ଦେ ଜେଜେ ସିପିସି ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଓ ଶିଶୁ ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ପ୍ରାସଙ୍ଗିକ ଦିଗ ଉପରେ ଉପସ୍ଥାପନ କରିଥିଲେ ।
ସେହିପରି ଛତ୍ରପୁର ଉପଖଣ୍ଡିୟ ନ୍ୟାୟିକ ମାଜିଷ୍ଟ୍ରେଟ ବିଷ୍ଣୁପ୍ରିୟା ସାମନ୍ତରାୟ ନିଶୁଳ୍କ ଆଇନ ସେବା ପ୍ରଦାନ ବ୍ୟବସ୍ଥା ଓ ଏହାର ସୁଫଳ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଜେଏମଏଫସି ସ୍ୱାଗତିକା ସ୍ୱାଇଁ ନ୍ୟାୟ ପ୍ରଦାନ ପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଆଇନ ପ୍ରତି ସଚେତନ ହେବାକୁ ପ୍ରେରଣା ଦେଇଥିଲେ ।
କଲେଜର ଅଧ୍ୟକ୍ଷ ସ୍ୱାଗତ ଭାଷଣରେ ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସଚେତନତା ବୃଦ୍ଧି କରୁଥିବା କଥା କହିଥିଲେ । କଲେଜର ପ୍ରଶାସନିକ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ବ୍ୟୋମକେଶ ନାୟକଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।