ମାଲକାନଗିରି, ୧୦/୦୨(ପିପିଟି):ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମାଲକାନଗିରି ବ୍ଲକ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବନଖଣ୍ଡ ଅଧିକାରୀ କେନ୍ଦୁପତ୍ର ଡିଭିଜନ ଜୟପୁର, ଉମା ମହେଶ, ଏସିଏଫ୍ କେନ୍ଦୁ ପତ୍ର ଡିଭିଜନ ଜୟପୁର ଡଃ ଶ୍ୟାମା ଭାରତୀ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ପଞ୍ଚାୟତ ସମିତି ମାଲକାନଗିରି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଓ ମାଲକାନଗିରି ବିଧାୟକ ପ୍ରତିନିଧି ଜଗଦାନନ୍ଦ ୱାନକଡଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଆଶାୟୀ ପ୍ରାର୍ଥୀମାନଙ୍କୁ କହିଥିଲେ ଯେ କେବଳ ପାଠ ପଢି ଚାକିରି ପଛରେ ନ ଦୌଡ଼ନ୍ତୁ ବରଂ ଦକ୍ଷତା ବିକାଶ, ଯୋଗାଯୋଗ କୁଶଳତା, ସମୟ ପରିଚାଳନା ଉପରେ ଗୁରୁତ୍ବ ଦେଇ ନିଜର ଆତ୍ମବିଶ୍ବାସକୁ ଦୃଢ଼ କରନ୍ତୁ। ଯେଉଁ କ୍ଷେତ୍ରରେ ରୁଚି ରହିଛି ସେଥିରେ ଦକ୍ଷତା ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ ଜିଲ୍ଳାର ଯୁବ ବର୍ଗଙ୍କୁ ନିଯୁକ୍ତି ମେଳାରେ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥା ନିକଟରେ ନିଜର ପ୍ରତିଭାକୁ ଉଚିତ୍ ମାର୍ଗରେ ପ୍ରଦର୍ଶନ ସହ ଉପଯୁକ୍ତ ତାଲିମ୍ ଗ୍ରହଣ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହିତ ଚାକିରୀ ତଲାସରେ ନିଜର ସମୟ ନଷ୍ଟ ନକରି କୌଣସି ଆତ୍ମ ନିଯୁକ୍ତି ଉଦ୍ୟୋଗ କରି ଅନ୍ୟ ମାନଙ୍କୁ ନିଯୁକ୍ତି ପ୍ରଦାନ କରି ପ୍ରଶଂସାର ପାତ୍ର ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ନିଯୁକ୍ତି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ପ୍ରାୟ ୨୦୧୨ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରି ନିଯୁକ୍ତି ମେଳାର ସୁଯୋଗ ପ୍ରାପ୍ତ କରିଥିଲେ। ବିଭିନ୍ନ ନିଯୁକ୍ତି ଦାତା ସଂସ୍ଥା ସିଧାସଳଖ ଭାବେ ମୋଟ ୧୫୪ ଜଣ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।ଶେଷରେ ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଗୁପ୍ତ ମାଢି ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ ସରୋଜ ପଟ୍ଟନାୟକ ସହଯୋଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)