ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଯାଜପୁର,୧୩/୦୮(ପିପିଟି): ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଗତକାଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଯଯାତିକେଶରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ସିରପ ଓ ବଟିକା ସେବନ କରାଇବା ନିମନ୍ତେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ଆଜି ଦିବସର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଯାଇ କହିଲେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ପରି ଏହି ବର୍ଷ ଅଗଷ୍ଟ ୧୨ ରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି । ଯାହାର ଉଦ୍ଦେଶ୍ୟ ହେଉଛି ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ ରୁ ୨୪ ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ଭବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନକୁ ସଫଳ କରାଇବା। କୃମି ଦ୍ଵାରା ସଂକ୍ରମିତ ହେଲେ ପୁଷ୍ଟିହୀନତା, ରକ୍ତହୀନତା, ବଦହଜମୀ, ଶାରୀରିକ ତଥା ମାନସିକ ଅନଗ୍ରସରତା ଦେଖାଯିବା ସହ କାର୍ଯ୍ୟ ଦକ୍ଷତା କମିଯାଏ। ତେଣୁ କୃମି ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୃମି ନାଶକ ବଟିକା ସେବନ କରିବା ସାଙ୍ଗେ ପରିଷ୍କାର ପରିଚ୍ଛନ୍ନ ରହିବା, ମଳତ୍ୟାଗ ସମୟରେ ପାଇଖାନାରେ ଚପଲ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ ସେବନ, ଖାଇବା ପୂର୍ବରୁ ହାତ ସଫା କରିବା, ନଖ କାଟିବା ଆଦି ବିଷୟରେ ଉପସ୍ଥିତ ଅତିଥି ମାନେ ସମସ୍ତଙ୍କୁ ସଚେତନ କାରାଇଥିଲେ। ଏହି ଅଭିଯାନ ଆଜି ଜିଲ୍ଲାର ୨୬୭୮ ସରକାରୀ, ବେସରକାରୀ ବିଦ୍ୟାଳୟ, ୨୮୨୬ ଅଙ୍ଗନୱାଡି କେନ୍ଦ୍ରରେ ଆରମ୍ଭ ହୋଇଛି। ଏହି ସମସ୍ତ ସ୍ଥାନରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପସ୍ଥିତି ରେ ପିଲା ମାନଙ୍କୁ କୃମି ନାଶକ ବଟିକା ଓ ସିରପ ଆଲବେଣ୍ଡାଜୋଲ ଖାଇବାକୁ ଦିଆଯାଇଛି। ଜିଲ୍ଲାର ୬, ୭୨,୮୮୫ ଜଣ ୧ ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର,୯୨, ୩୮୨ଜଣ ୨୦ ରୁ ୨୪ ବର୍ଷ ବୟସର ପ୍ରସୂତି ବା ଗର୍ଭବତୀ ହୋଇନଥିବା ପ୍ରଜନନକ୍ଷମ ମହିଳା ମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡି.ସି) ,ଡା. ରମେଶ ଚନ୍ଦ୍ର ମଲ୍ଲିକ, ଦଶରଥପୁର ବିଡିଓ ଆକାଶ ପଟ୍ଟନାୟକ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଯଯାତିକେଶରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଡି.ପି.ଏମ୍ ,ଡେପୁଟୀ ମ୍ୟାନେଜର ଓ ବିଦ୍ୟାଳୟର ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ଥିଲେ । ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ,ସହରାଞ୍ଚଳର ଆଶା, ଆଦି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment