ଜିଲ୍ଲାର ଆଦିବାସୀ ଗ୍ରାମ ଗୁଡିକରେ ତାଳ ରସ ପିଇବା ପାଇଁ ଲୋକଙ୍କ ଜମୁଛି ଭିଡ଼ ।

ମାଲକାନଗିରି,୧୮/୦୫(ପିପିଟି): ଖରା ଦିନେ ଲୋକେ ବିଭିନ୍ନ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ତେଣୁ ଅନେକ ସ୍ଥାନରେ ବିଭିନ୍ନ ଫଳର ରସକୁ ମଧ୍ୟ ଲୋକେ ମୃଦୁ ପାନୀୟ ଭାବରେ ବ୍ୟବହାର କରୁଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ଶହ ଶହ ତାଳ ଗଛ ଦେଖିବାକୁ ମିଳିଥାଏ । ତେଣୁ ଏହି ତାଳ ଗଛରୁ ବାହାରୁଥିବା ରସ ଏବେ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । କାରଣ ଖରା ଦିନେ ଏହି ରସ ସ୍ଵାସ୍ଥ୍ୟ ପ୍ରତି ବେଶ ଉପକାର ବୋଲି ବିଶ୍ଵାସ ରହିଛି । ବିଶେଷ କରି ଆଦିବାସୀମାନେ ଏହି ରସ ବିକ୍ରି କରି ଦି ’ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଜମିବାଡ଼ିରେ ଥିବା ତାଳ ଗଛରୁ ରସ ସଂଗ୍ରହ କରିବା କଷ୍ଟକର । କାରଣ ତାଳ ଗଛର ଲମ୍ବା ଶହେରୁ ଦେଢ଼ ଶହ ଫୁଟ ହୋଇଥାଏ । ଏତେ ବଡ଼ ଗଛ ଉପରେ ଚଢ଼ି ରସ ସଂଗ୍ରହ କରାଯିବାର କୌଶଳ କେବଳ ଆଦିବାସୀଙ୍କୁ ହିଁ ଜଣା । ତାଳ ଗଛରେ ଚଢ଼ିବା ପାଇଁ ସେମାନେ ଗୋଟିଏ ପ୍ରକାର ଦଉଡ଼ି ଓ କିଛି ବାଉଁଶ ସହ ସାଇକେଲ ଟ୍ୟୁବ୍ ବ୍ୟବହାର କରିଥାନ୍ତି । ଦୁଇ ପାଦରେ ଦଉଡ଼ି ବାନ୍ଧି ଅତି କମ ସମୟ ମଧ୍ୟରେ ଶହେ ଫୁଟ ଉଚ୍ଚ ତାଳ ଗଛ ଉପରକୁ ଚଢ଼ିଯାଇ ରସ ସଂଗ୍ରହ କରି ପୁଣି ତଳକୁ ଫେରି ଆସନ୍ତି । ଦିନକୁ ଦୁଇ ଥର ରସ ସଂଗ୍ରହ କରାଯାଇଥାଏ ବୋଲି ତେଲରାଇ ଗ୍ରାମର ଜଣେ ବାସିନ୍ଦା କହିଛନ୍ତି । ତାଳ ଗଛର ଅଗ୍ର ଭାଗରେ କଣା କରାଯାଇ ସେଥିରେ ବାଉଁଶ ନଳ ରଖାଯାଇଥାଏ । ଏହି ବାଉଁଶ ନଳ ଭିତରକୁ ଟୋପା ଟୋପା କରି ତାଳ ରସ ଝରି ଏକାଠି ହେବା ପରେ ସଂଗ୍ରହ କରାଯାଇଥାଏ । ସକାଳେ ଓ ଅପରାହ୍ନରେ ଦୁଇଥର ରସ ସଂଗ୍ରହ କରାଯାଇଥାଏ ବୋଲି ଜଣେ ବ୍ୟକ୍ତି କହିଛନ୍ତି । ଏହି ରସ ପିଇବାକୁ ସକାଳୁ ଓ ଅପରାହ୍ନରେ ଆଦିବାସୀ ଗ୍ରାମ ଗୁଡ଼ିକରେ ଲୋକଙ୍କ ଭିଡ଼ ହୋଇଥାଏ । କାରଣ ଏହି ତାଳ ରସ ସାମାନ୍ୟ ନିଶାଯୁକ୍ତ ଖରାଦିନେ ଏହାକୁ ହୋଇଥିବାରୁ ପିଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି । ତାଳ ରସ ଫେବ୍ରୁଆରିରୁ ଜୁନ ମାସ ମଧ୍ୟରେ ସଂଗ୍ରହ କରାଯାଏ । କାରଣ ଗଛରେ ତାଳ ହେବା ପରେ ଗଛରୁ ଆଉ ରସ ଝରି ନଥାଏ ବୋଲି କୁହା ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment