ଜିଲ୍ଲାପାଳଙ୍କ ବଣ୍ଡା ଘାଟି ଗସ୍ତ , ଉନ୍ନୟନ କାର୍ଯ୍ୟ ପରିଦର୍ଶନ ।

ମାଲକାନଗିରି, ୧୪/୧୧(ପିପିଟି):ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟିର ଅନ୍ଦ୍ରାହାଲ୍ ଓ ତୁଷେଇପଡ଼ା ଗ୍ରାମ ଗସ୍ତ କରିଛନ୍ତି। ସେହି ଅଞ୍ଚଳର ସାମଗ୍ରିକ ବିକାଶ ଓ ଜୀବନଶୈଳୀରେ ଉନ୍ନତି ଆଣିବା ଗୁରୁତ୍ୱ ଦେଇଛନ୍ତି । ଏହି ଗସ୍ତ ସମୟରେ ଅନ୍ଦ୍ରାହାଲ୍ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ ଥିବା ସାରୁ ଜଳପ୍ରପାତର ବିକାଶ ଓ ଝୁଲା ପୋଲ ନିର୍ମାଣ ପାଇଁ କହିଛନ୍ତି ଜିଲ୍ଲାପାଳ। ବଣ୍ଡା ଜନଜାତି ଲୋକଙ୍କୁ ମୌଳିକ ସୁବିଧା ଯୋଗେଇଦେବା ପାଇଁ ଗ୍ରାମର ରାସ୍ତା ସୁଧାର, ରାସ୍ତା ଆଲୋକ ବ୍ୟବସ୍ଥା ଏବଂ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅଞ୍ଚଳର ଲୋକଙ୍କୁ ପଶୁପାଳନ ସମ୍ବନ୍ଧୀୟ ଜୀବିକା ସହାୟତା ଯୋଗାଇ ଦେବାକୁ କହିବା ସହ ପିଏମ୍ ଜନମନ ଯୋଜନାରେ ଚାଲିଥିବା କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ । ସେହିପରି ଜିଲ୍ଲାପାଳ କୋରୁକୋଣ୍ଡା ବ୍ଲକର ଆମ୍ବଲିବେଡ଼ା ଓ ନାରିଙ୍ଗିଝୋଲା ଗ୍ରାମ ମଧ୍ଯ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅଞ୍ଚଳର ବିକାଶ ଓ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇଛନ୍ତି । ଆମ୍ବଲିବେଡ଼ା ଗ୍ରାମକୁ ଏକ ବିକଶିତ ଗ୍ରାମ ଭାବେ ରୂପରେଖ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାରିଙ୍ଗିଝୋଲା କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଆଦିବାସୀ କଟେଜ୍, ଭ୍ୟୁ-ପଏଣ୍ଟ ଏବଂ ବୋଟିଂ ସୁବିଧା ଭିତ୍ତିଭୂମି ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment