ଜିଲ୍ଲାପାଳଙ୍କ ଉଦ୍ୟମରେ ରୋଗୀଙ୍କୁ ମିଳିଲା ଔଷଧ ।

ରାମନାଗୁଡା,(ପିପିଟି)୨୯/୦୪- କରୋନା ମହାମାରୀ ଯୋଗୁଁ ସାର ଭାରତ ବର୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଲକ ଡାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିଛି । ଏହା ଦ୍ୱାରା ଜନସାଧାରଣ କିଛିଟା ମାତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ ଡାଉନ ଏବେ ଜଟିଳ ରୋଗରେ ପୀଡିତ ଥିବା ରୋଗୀଙ୍କୁ ନିଦ ହଜାଇ ଦେଇଛି । କିଛି ଔଷଧ ସ୍ଥାନୀୟ ଅଂଚଳରେ ମିଳୁ ନଥିବାରୁ ତାହା ବାହାରୁ ମଗାଇବାକୁ ପଡୁଛି । କିନ୍ତୁ ଲକ ଡାଉନ ଯୋଗୁଁ ତାହା ସମ୍ଭବପର ହୋଇ ପାରୁନାହିଁ। ତେବେ ଏପରି ଜଟିଳ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।ରାୟଗଡା ସହରସ୍ଥିତ ଇନ୍ଦିରା ନଗରରେ ବସବାସ କରୁଥିବା ଜି.ରୋହିଦାସ (୭୭) ଦୀର୍ଘଦିନରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦ ଠାରେ ନିଜ ପୁଅ ପାଖରେ ଚିକିତ୍ସିତ ହେଉଥିଲେ। ଗତ ଫେବୃଆରୀ ମାସରେ ଗୋଟିଏ ମାସର ଔଷଧ କିଣି ରାୟଗଡା ଫେରି ଆସିଥିଲେ ଶ୍ରୀ ରୋହିଦାସ। ଔଷଧ ସରିଯିବା ପରେ ପୁଅକୁ ଔଷଧ ପଠାଇବା ପାଇଁ କହିଥିଲେ। ତେବେ ଲକ ଡାଉନ ଯୋଗୁଁ ସବୁ କୋରିଅର ସଂସ୍ଥା ବନ୍ଦ ରହିଥିବାରୁ ପୁଅ ଔଷଧ ପଠାଇପାରିଲେ ନାହିଁ।ଘଟଣା ସଂପର୍କରେ ଜି.ରୋହିଦାସ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ ବିଶାଖାପାଟଣାରୁ ଔଷଧର ବନ୍ଦୋବସ୍ତ କରି ଜି.ରୋହିଦାସଙ୍କୁ ପ୍ରଦାନ କରିଥିଲେ। ସେହିପରି ବିଷମକଟକ ବ୍ଲକ ଚାଟିକୋଣା ନିବାସୀ ଅକ୍ଷୟ ଲେଙ୍କା (୬୦) ହୃଦରୋଗ ପାଇଁ ଦିଲ୍ଲୀରେ ତାଙ୍କ ପୁଅ ପାଖରେ ରହି ଚିକିତ୍ସିତ ହେଉଥିଲେ। ଚାଟିକୋଣା ଫେରିବା ପରେ ପ୍ରତି ମାସରେ କୋରିଅର ମାଧ୍ୟମରେ ଔଷଧ ମଗାଉଥିଲେ ଶ୍ରୀ ଲେଙ୍କା। ତେବେ ଔଷଧର ବନ୍ଦୋବସ୍ତ ନ ହେବାରୁ ଶ୍ରୀ ଲେଙ୍କାଙ୍କ ପୁଅ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ବାପାଙ୍କ ନିମନ୍ତେ ଔଷଧର ବ୍ୟବସ୍ଥା କରିବା ପାଇଁ ଇ-ମେଲ ଯୋଗେ ନିବେଦନ କରିଥିଲେ। ଜିଲ୍ଲାପାଳ ଶ୍ରୀ ବେହେରା ଆବଶ୍ୟକୀୟ ଔଷଧର ବନ୍ଦୋବସ୍ତ କରି ଶ୍ରୀ ଲେଙ୍କାଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଏପରି ମହନୀୟ କାର୍ଯ୍ୟ ପାଇଁ ଜି.ରୋହିଦାସ ଏବଂ ଅକ୍ଷୟ ଲେଙ୍କାଙ୍କ ପରିବାର ବର୍ଗ କୃତଜ୍ଞତା ଜ୍ଞାପନ କରିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment