ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ ଓ ପି.ଏମ୍.ଜି. ପ୍ରଗତି ବୈଠକ ।

ମାଲକାନଗିରି,୦୯/୦୯(ପିପିଟି):ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ପୌରୋହିତ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ରାଜସ୍ୱ ଏବଂ ପି.ଏମ୍.ଜି. ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାର ଚାଲୁ ରହିଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ, ଗମନାଗମନ, ପାନୀୟ ଜଳ ଏବଂ ଗ୍ରାମୀଣ ବିକାଶ ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏଥିସହ ଜିଲ୍ଲାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଜମି ରାଜସ୍ୱ, ଖଣିଜ ରାଜସ୍ୱ ଏବଂ ଅନ୍ୟାନ୍ୟ ସରକାରୀ ଟିକସ ଆଦାୟର ଲକ୍ଷ୍ୟଧାର୍ଯ୍ୟ ଉପରେ ସମୀକ୍ଷା କରାଯିବା ସହ ବାକି ରହିଥିବା ରାଜସ୍ୱକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଶେଷ କରି ଜଙ୍ଗଲ ଜମି କ୍ଲିୟରାନ୍ସ ଏବଂ ପରିବେଶ ସମ୍ବନ୍ଧୀୟ ଆପତ୍ତି ଯୋଗୁଁ ଅଟକି ରହିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୃହତ୍ ପ୍ରକଳ୍ପଗୁଡ଼ିକର ସମାଧାନ ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ମିଳିତ ସମୀକ୍ଷା ହୋଇଥିଲା। ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ଜିଲ୍ଲାପାଳ ଇଞ୍ଜିନିୟର ଓ ବିଭାଗୀୟ ମୁଖ୍ୟମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।ଏହି ଅବସରରେ ଜିଲ୍ଲାପାଳ ନିଜ କହିଛନ୍ତି ଯେ, ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତ୍ୟେକ ପ୍ରକଳ୍ପ ଏବଂ ରାଜସ୍ୱ ଆଦାୟର ସଫଳ ରୂପାୟନ ଅତ୍ୟନ୍ତ ଜରୁରୀ। ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ସାଧାରଣ ଲୋକଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିପାରିବ, ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ନକଲେ ସମ୍ପୃକ୍ତ ବିଭାଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକ ଶେଷରେ ସମସ୍ତ ବିଭାଗୀୟ ମୁଖ୍ୟମାନେ ନିଜ ନିଜ ବିଭାଗର ପ୍ରଗତି ରିପୋର୍ଟ ଉପସ୍ଥାପନ କରିବା ସହ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସଙ୍କଳ୍ପ ନେଇଥିଲେ।

(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment