ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ।

ଛତ୍ରପୁର,୨୫/୦୬(ପିପିଟି): ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବୃଦ୍ଧି, ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଟିକାକରଣ ଅଭିଯାନ, ଗର୍ଭବତୀ ମହିଳା ଏବଂ ମାତୃ-ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଜିଲ୍ଲାପାଳ କହିଥିଲେ ଯେ,ଜନବହୁଳ ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଯୋଜନାବଦ୍ଧ ପଦକ୍ଷେପ ନିଆଯାଉଛି। ଉପଲବ୍ଧ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ କ୍ଷେତ୍ରସ୍ତରରେ ଆଶାନୁରୂପ ସେବା ପ୍ରଦାନ କରିବା ଦିଗରେ ସମସ୍ତଙ୍କ ଆନ୍ତରିକ ଓ ସମନ୍ୱିତ ପ୍ରୟାସ ଆବଶ୍ୟକ। ସ୍ୱାସ୍ଥ୍ୟ ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜନସେବା ହୋଇଥିବାରୁ ଏଥିରେ କୌଣସି ପ୍ରକାରର ଅବହେଳାକୁ ସହ୍ୟ କରାଯିବ ନାହିଁ। ଏପରି ଘଟଣା ଦେଖାଦେଲେ ‘ଶୂନ୍ୟ ସହନଶୀଳତା’ ନୀତି ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଟିକାକରଣ କାର୍ଯ୍ୟକ୍ରମରେ ମା’, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅନୁପସ୍ଥିତି ହ୍ରାସ କରିବା ପାଇଁ ଗ୍ରାମାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଔଷଧ ଏବଂ ଚିକିତ୍ସା ଉପକରଣର ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ଜିଲ୍ଲାସ୍ତରରେ ନିରୀକ୍ଷଣ ଦଳ ଗଠନ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିୟମିତ ପ୍ରଶିକ୍ଷଣ ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ମାତୃ-ଶିଶୁ ସୁରକ୍ଷା ପାଇଁ ଗର୍ଭାବସ୍ଥାରେ ଯତ୍ନ, ପୋଷଣ ଏବଂ ଚିକିତ୍ସା ପରାମର୍ଶ ସେବାକୁ ଅଧିକ ସୁଦୃଢ଼ କରିବା, ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗର ପ୍ରତିରୋଧ ଏବଂ ପୂର୍ବ ସଚେତନତା କାର୍ଯ୍ୟକ୍ରମକୁ ତୀବ୍ରତର କରିବା, ଆଶାକର୍ମୀଙ୍କ କାର୍ଯ୍ୟର ନିୟମିତ ତଦାରଖ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରିଚାଳନା ସୂଚନା ପ୍ରଣାଳୀ ଏବଂ ଗର୍ଭଧାରଣ ଓ ଶିଶୁ ଟ୍ରାକିଂ ବ୍ୟବସ୍ଥା ୨.୦ରେ ପଞ୍ଜୀକରଣ, ଉପଖଣ୍ଡ ଚିକିତ୍ସାଳୟ ଓ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା, ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବିତରଣ, କୁଷ୍ଠ ରୋଗର ସମ୍ପୂର୍ଣ୍ଣ ନିରାକରଣ, ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ ଏବଂ ଜନନୀ ଏକ୍ସପ୍ରେସ ଓ ଆମ୍ବୁଲାନ୍ସ ସେବାର ଉପଯୁକ୍ତ ବ୍ୟବହାର ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଏବଂ ବିଭିନ୍ନ ବେସରକାରୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବୈଠକରେ ବ୍ଲକସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସାପ୍ତାହିକ କିମ୍ବା ପାକ୍ଷିକ ଭିତ୍ତିରେ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ଜନସଚେତନତା କାର୍ଯ୍ୟକ୍ରମଗୁଡ଼ିକରେ କ୍ଷେତ୍ରସ୍ତରର ସ୍ୱାସ୍ଥ୍ୟକର୍ମୀଙ୍କ ସହ ଜନପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ସ୍ୱାସ୍ଥ୍ୟ ସେବାକୁ ଅଧିକ ପ୍ରଭାବଶାଳୀ, ଗୁଣାତ୍ମକ ଓ ଜନମୁଖୀ କରିବା ଦିଗରେ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ପରାମର୍ଶ ଉପସ୍ଥାପିତ ହୋଇଥିଲା।

Comments (0)
Add Comment