ଧର୍ମଗଡ଼,୧୫/୧୧:ଧାନ କଟା ହୋଇ ରଖା ହୋଇଥିଲା। ଶୁକ୍ରବାର ଥ୍ରେସିଂ ହୋଇଥାନ୍ତା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। କେହି ଜଣେ ଖଳ ପ୍ରକୃତିର ଲୋକ ନିଆଁ ଲଗେଇ ଦେଲା। ସକାଳ ପାହିଲା ବେଳକୁ ହୁତୁହୁତୁ ସବୁ ପୋଡି ପାଉଁଶ ହୋଇଗଲା। ବର୍ଷକର ଅମଳ ନିମିଷକ ମଧ୍ୟରେ ପାଉଁଶ ହୋଇଗଲା। ମୁଣ୍ଡରେ ହାତ ଦେଇ ପାଉଁଶକୁ ଆଁ କରି ଚାହିଁ ରହିଛି ଚାଷୀ । ଓଠ ଶୁଖି ଯାଉଛି । ପାଟିରୁ ଭାଷା ବାହାରୁ ନାହିଁ। ଧର୍ମଗଡ଼ ବ୍ଳକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁ ରେ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବୋଇତ ବନ୍ଦାଣ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ଥିବାବେଳେ ପଦ୍ମପୁର ଗାଁରେ ଚାଷୀ କୈଳାସ ଗୋପାଳଙ୍କ ଘରେ ଦୁଃଖର ବାଦଲ ଛାଇଯାଇଛି । ସୂଚନା ଅନୁଯାୟୀ ପଦ୍ମପୁର ଗ୍ରାମର କୈଳାଶ ଗୋପାଳ ନିଜ ପୈତୃକ ସମ୍ପତ୍ତିରୁ ଭାଗ ସୂତ୍ରରେ ମିଳିଥିବା ୪ଏକରରେ ଜମିରେ ଧାନ ଚାଷ କରିଥିଲେ। ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳ ହେତୁ ଚଳିତ ବର୍ଷ ଭଲ ଫସଲ ହୋଇଥିଲା ଏବଂ ଅମଳ ଆଶା ମଧ୍ୟ ଅଧିକ ଥିଲା। ଗୁରୁବାର ଧାନ କଟା ସରିଲା। ରାତି ପାହିଲେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା । ସେଥିପାଇଁ କଟାଯାଇଥିବା ଧାନ ଜମି ନିକଟସ୍ଥ ପଡ଼ିଆରେ ଜମା କରି ପୂର୍ଣିମା ପ୍ରସ୍ତୁତିରେ ସମସ୍ତେ ଲାଗିପଡିଲେ।ବୋଇତ ବନ୍ଦାଣ ଉତ୍ସବ ପରେ ପରିବାର ଲୋକେ ଖୁସିମନରେ କାର୍ତ୍ତିକ ପୂର୍ଣ୍ଣିମା ପୂଜା କରି ମେସିନ ଲଗାଇ ଥ୍ରେସିଂ କରିଥାନ୍ତେ। ସକାଳୁ ପାହିଲା ବେଳକୁ କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ବୋଇତ ଭସାଣ ପାଇଁ ଯିବାବେଳେ ହୁତୁହୁତୁ ହୋଇ ଧାନ ଗଦା ଜଳୁଥିବା ଦେଖିବାକୁ ମିଳିଥିଲା। ଆଖି ସାମ୍ନାରେ ବର୍ଷକର ପରିଶ୍ରମ ପାଉଁଶ ହୋଇଯିବା ଦେଖି ବାଷ୍ପରୁଦ୍ଧ ହୋଇଯାଇଥିଲେ ପରିବାର ଲୋକେ। ଗ୍ରାମବାସୀଙ୍କ ପରାମର୍ଶକ୍ରମେ କୈଳାସଙ୍କ ପୁଅ ସନ୍ତୋଷ ଗୋପାଳ କୋକସରା ଥାନାରେ ଏତଲା ଦେଇଥିଲେ ହେଁ ଚାଷକୁ ଭରସା କରି ବଞ୍ଚୁଥିବା ଛଅ ପ୍ରାଣୀ ଚଳିବେ କେମିତି? ପୋଲିସ ସଂପୃକ୍ତ ଦୃବୃତ୍ତକୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ପରିବାକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।