ମାଲକାନଗିରି,ତା:୩୧/୦୧(ପିପିଟି);ଆଦିବାସୀ ନ ହୋଇ ଜଣେ ସାଧାରଣ ବର୍ଗର ମହିଳା ୨୪ ବର୍ଷ ତଳେ ତଞ୍ଚକତା କରି ମାଲକାନଗିରି ଜିଲ୍ଲାରେ ସରକାରୀ ଚାକିରୀ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ସହ ପଦୋନ୍ନତି ସାଉଁଟି ଥିଲା।ତେବେ ଅଭିଯୋଗ ପରେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସାର୍ଟିଫିକେଟ ତଦନ୍ତ ହୋଇଥିଲା !ତଦନ୍ତରୁ ଜାଲିଆତି ସାମ୍ନାକୁ ଆସିଥିଲା ଯେ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଲକ୍ଷ୍ମୀପ୍ରିୟା ବେହେରା ନାମ୍ନୀ ଜଣେ ସାଧାରଣ ବର୍ଗର ମହିଳା ସରକାରୀ ଚାକିରୀ ହାତେଇଛନ୍ତି। ବର୍ତ୍ତମାନ ଚାକିରୀରୁ ବହିଷ୍କୃତ ହୋଇଛନ୍ତି ମାଲକାନଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା। ଘଟଣାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ ମସିହାରେ ମାଲକାନଗିରି ଜିଲ୍ଲାରେ କନଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିଲେ। କାଳ କ୍ରମେ ଦରମା ବୃଦ୍ଧି ସହ ପଦୋନ୍ନତି ମଧ୍ୟ ତାଙ୍କୁ ମିଳିଥିଲା। ତେବେ ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ଜାତି ପ୍ରମାଣପତ୍ରକୁ ସନ୍ଦେହ କରି କେହି ଜଣେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ଲକ୍ଷ୍ମୀପ୍ରିୟା ସାଧାରଣ ବର୍ଗର ମହିଳା ହୋଇଥିବା ବେଳେ ଜଣେ ଆଦିବାସୀଙ୍କୁ ବିବାହ କରିଛନ୍ତି। ବିବାହ ପରେ ନିଜ ପ୍ରକୃତ ଜାତିକୁ ଲୁଚାଇ ସେ ସ୍ବାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଆଦିବାସୀ ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ର ଦାଖଲ କରି ଏସଟି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। ଏ ନେଇ ମାଲକାନଗିରି ଜିଲ୍ଲାପାଳ ଜାଣିବା ପରେ ଲକ୍ଷ୍ମୀପ୍ରିୟାକୁ ଚାକିରୀରୁ ବହିଷ୍କୃତ କରିଛନ୍ତି। ଏହା ବ୍ଯତୀତ ଚାକିରୀ କାର୍ଯ୍ଯ କାଳ ମଧ୍ଯରେ ସେ ଯେତେ ଦରମା ବାବଦରେ ଟଙ୍କା ନେଇଛନ୍ତି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍କାଳୀନ ଜୁନାଗଡ଼ ତହସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କଲେ ତାହାର ତଦନ୍ତ କରିବାକୁ ବି କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।
ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମାଳକାନଗିରି ଜିଲ୍ଲାପାଳ ଵାଇ.ବିଜୟ। ଡେପୁଟି କଲେକ୍ଟର ଦୁର୍ଗା ପ୍ରସାଦ ଦୋରା ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେବା ସହ ଲକ୍ଷ୍ମୀପ୍ରିୟାଙ୍କୁ ନୋଟିସ୍ କରାଯାଇଥିବା କହିଛନ୍ତି। ତେବେ ଲକ୍ଷ୍ମୀପ୍ରିୟା ଛୁଟିରେ ରହିଥିବାରୁ ନୋଟିସ୍ ଗ୍ରହଣ କରିନାହାନ୍ତି। ତେଣୁ ତାଙ୍କ ଘର କାନ୍ଥରେ ମରାଯାଇଥିବା କହିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)