ଜାଲ୍ ସାର୍ଟିଫିକେଟ ତଦନ୍ତ ଆଳରେ ସୁରକ୍ଷା, ଶିକ୍ଷାଧିକାରୀଙ୍କ କାର୍ଯ୍ଯକଳାପ ସନ୍ଦେହ ଘେରରେ ।

ବ୍ରହ୍ମପୁର,୧୫/୧୦(ପିପିଟି): ଜାଲ୍ ସାର୍ଟିଫିକେଟ କ୍ରୟ ଓ ବିକ୍ରୟର ପେଣ୍ଠସ୍ଥଳୀ ଗଞ୍ଜାମ ଜିଲ୍ଲା । ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଓ ଫରୱାର୍ଡ ବ୍ଲକ ପକ୍ଷରୁ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରିଥିଲେ ମଧ୍ଯ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜାଲ୍ ସାର୍ଟିଫିକେଟ ତଦନ୍ତ ଆଳରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାଧିକାରୀ ମାନେ ସୁରକ୍ଷା ଦେଉଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ପୁରୁଷୋତ୍ତମପୁର ବ୍ଳକର ଦୁଇ ଜଣ,ଆସିକା ବ୍ଲକର ଚାରି ଜଣ ଓ ବୁଗୁଡାର ଜଣଙ୍କର ସାର୍ଟିଫିକେଟ ଯାଞ୍ଚ ପାଇଁ ତା-୨୬/୧୧/୨୦୨୧ ରେ ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ୭ ଜଣଙ୍କ ମଧ୍ଯରୁ ଆସିକାର ଜାଲ୍ ଶିକ୍ଷକ ଶିବରାମ ମହାନ୍ତିଙ୍କୁ ଆସିକା ପୁଲିସ ୭ ଜୁଲାଇ ୨୦୨୩ ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ପୁରୁଷୋତ୍ତମପୁର ଓ ବୁଗୁଡା ଶିକ୍ଷାଧିକାରୀ ତଦନ୍ତ ଆଳରେ ସୁରକ୍ଷା ଦେଉଥୁବା ସୂଚନା ତଥ୍ଯ ମଧ୍ଯମରୁ ଜଣାପଡିଛି। ସୂଚନା ତଥ୍ଯରେ ପୁରୁଷୋତ୍ତମପୁର ଓ ବୁଗୁଡାର ଶିକ୍ଷକ ମାନଙ୍କ ଯାଞ୍ଚ ପାଇଁ କେଉଁ କେଉଁ ଅନୁଷ୍ଠାନକୁ ଚିଠି ଲେଖାଯାଇଛି ଏବଂ ଯାଞ୍ଚ ରିପୋର୍ଟ କଣ ଆସିଛି ବୋଲି ତଥ୍ଯ ମଗାଯାଇଥିଲା। ପୁରୁଷୋତ୍ତମପୁର ତଥ୍ଯ ପ୍ରଦାନ ନକରିବାରୁ ସୂଚନା କମିଶନଙ୍କ ନିକଟରେ ଅପିଲ କରାଯାଇଛି। ବୁଗୁଡା ବ୍ଲକ ଅନ୍ତର୍ଗତ କାନସୁକା ୟୁପିଏସ ର ଶିକ୍ଷକ ବିନାୟକ ନାୟକ ସାର୍ଟିଫିକେଟ ଯାଞ୍ଚ ଆଳରେ ଶିକ୍ଷାଧିକାରୀ ସୁରକ୍ଷା ଦେଉଥିବାର ଅଭିଯୋଗ ଉଠୁଛି। ବିଇଓ ବୁଗୁଡା ସୂଚନା ତଥ୍ଯ ଚିଠି ନମ୍ବର ୨୧୬୪, ତା-୦୯/୧୦/୨୦୨୪ରୁ ଜଣାପଡିଛି ଯେ ତା-୨୨/୦୨/୨୦୨୨ରେ ଯାଞ୍ଚ ପାଇଁ ପଠାଯାଇଛି। ତାର ତଥ୍ଯ ଆସି ନାହିଁ। ପରବର୍ତ୍ତୀ ସମୟରେ ବିଇଓ ଅଉ ଚିଠି ଲେଖିଲେ ନାହିଁ କି ତତ୍ପରତା ପ୍ରକାଶ କଲେ ନାହିଁ। ଡିଇଓ କାର୍ଯ୍ଯାଳୟ ମଧ୍ଯ ତଦନ୍ତ ପାଇଁ ତତ୍ପର ଦେଖାଇ ନାହିଁ। ଗୋଟିଏ ଶିକ୍ଷକର ସାର୍ଟିଫିକେଟ ଯାଞ୍ଚ ପାଇଁ ୩ବର୍ଷ ମଧ୍ଯରେ ହୋଇ ପାରିଲା ନାହିଁ। ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହେବାର କେତେ ଦିନ ମଧ୍ଯରେ ତଦନ୍ତ ସରିବ ତାର କିଛି ନିର୍ଦ୍ଦେଶ ନାମା ନାହିଁ। ଜାଣିଶୁଣି ତଦନ୍ତରେ ବିଳମ୍ବ କରୁଥିବା ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଅଭିଯୋଗ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯାଞ୍ଚ ନସରିବା ପର୍ଯ୍ୟନ୍ତ ଦରମା ବନ୍ଦ କରାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments (0)
Add Comment