ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ୨୨ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର,୦୧/୧୦(ପିପିଟି): ଭଞ୍ଜନଗର ମେଡ଼ିକାଲ ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାର ତରଫରୁ ଶନିବାର ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଇଛି। ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଲିବ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥି,ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଡ଼ା. ଗୋବିନ୍ଦ ମହାପାତ୍ର, ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ଥିଲେ।ଜନସାଧାରଣ ସଚେତନ ହେବା ସହ ରକ୍ତର ଆବଶ୍ୟକତା କେତେ ମୂଲ୍ୟବାନ ହୃଦଙ୍ଗମ କରିବା ଯୋଗୁଁ ପୂର୍ବ ଭଳି ଆଉ ରକ୍ତର ଅଭାବ ପରିଲକ୍ଷିତ ହେଉନାହିଁ। ଯାହାଫଳରେ ବହୁ ମୂଲ୍ୟବାନ ଜୀବନ ରକ୍ତ ପାଇ ବଞ୍ଚି ଯାଉଛି। ତେଣୁ କିଭଳି ଅଧିକରୁ ଅଧିକ ନୂତନ ରକ୍ତଦାତା ସୃଷ୍ଟି କରିବା ସେ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳରେ ରକ୍ତଦାନ ଶିବିରର ଆୟୋଜନ କରିଥିବା ୨୫ଟି ସଙ୍ଗଠନକୁ ସମ୍ମାନିତ କରାଯାଇଥିଲା। ସେଥି ମଧ୍ୟରେ ସାମ୍ବାଦିକ ଅନୀଲ କୁମାର ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ପାତ୍ର, ବିଶ୍ବମ୍ବର ଜେନା,ବିଭୂପଦ ଜେନା ଅନ୍ତର୍ଭୁକ୍ତ। ସେହିପରି ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ସେଠାରୁ ମୋଟ ୨୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ମେଡ଼ିକାଲ ଓ ରକ୍ତଭଣ୍ଡାରର କର୍ମଚାରୀ ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment