ଜାତୀୟ ରାଜପଥ ଦେଇ ପାରିହେଲା ଦନ୍ତା ।

ସମ୍ବଲପୁର,୧୨/୦୩: ସକାଳ ପ୍ରାୟ ୬ ଟା ସମୟରେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ପଡିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ଉପରେ ପଇଦାମାଲ ଗ୍ରାମରୁ ମାଲିମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଦନ୍ତାହାତୀ ପାରି କରିଛି । ସୁଚନା ଅନୁସାରେ ଏହି ଅଞ୍ଚଳରେ ଏହି ଦନ୍ତାହାତୀର ନିୟମିତ ଚଳପ୍ରଚଳ କରୁଥିବା ବେଳେ ଆଜି ସକାଳୁ ଏହି ଦନ୍ତାହାତୀ ଜାତୀୟ ରାଜପଥ ପାରି ହୋଇଥିଲା। ଏଣୁ ଲୋକେ ଭୟଭୀତ ହୋଇ ପଡିଥିବା ବେଳେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବେଶ କିଛି ସମୟ ଧରି ବାଧିତ ହୋଇଥିଲା । ଅପରପକ୍ଷରେ ଏହି ସମୟରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ମାନେ ଖବର ପାଇଁ ତୁରନ୍ତ ଘଟଣାସ୍ଥଳକୁ ପହୁଁଚି ଦନ୍ତା ହାତୀର ଜାତୀୟ ରାଜପଥ ପାରି ହେବା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ବିଶେଷ କରି ଦନ୍ତା ହାତୀଟି ଜାତୀୟ ରାଜପଥକୁ ପାରି ହେବା ବେଳେ ଯେଭଳି କୌଣସି ଅଘଟଣ ନ ହେବ ସେ ନେଇ ବନ ବିଭାଗ କର୍ମଚାରୀ ମାନେ ସତର୍କ ଦୃଷ୍ଟି ରଖିଥିବା ପରିଲକ୍ଷିତ ହୋଇଥିଲା। ଧ୍ୟାନଯୋଗ୍ୟ ଯେ,ସମ୍ବଲପୁର ଜିଲାର ଯୁଜୁମୁରା,ମାନେଶ୍ଵର ଓ ପଡ଼ିଆବାହାଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରଵ ଘଟଣା ନିୟମିତ ହୋଇଗଲାଣି । ବିଗତ କିଛି ବର୍ଷ ମଧ୍ୟରେ ହାତୀ ଓ ମଣିଷ ଲଢେଇରେ ୫ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାଙ୍କ ମୃତ୍ୟୁ ଘଟି ସାରିଛି । ଗତ ସପ୍ତାହରେ ପ୍ରବୀଣ ସିଂ ନାମକ ବନପାଳ ଯୁଜୁମୁରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା କୁଶାମୁରା ଜଙ୍ଗଲରେ ନିରିକ୍ଷଣ କାର୍ଯ୍ୟ କରୁଥିବା ବେଳେ ଦାନ୍ତ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ ଅଳ୍ପକେ ବନପାଳ ଜୀବନ ରକ୍ଷା କରିବାରେ ସଫଳ ହୋଇଥିବା ବେଳେ ଏବେ ସେ ଚିକିତ୍ସାଧୀନ ରହିଛନ୍ତି । ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

Comments (0)
Add Comment