ଜଳସେଚନ ପ୍ରକଳ୍ପରେ ତାଲା,ବର୍ଷିଲେ ପୂର୍ବତନ ମନ୍ତ୍ରୀ ।

ଟିଟିଲାଗଡ଼,୦୫/୦୮: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ନେଇ ଚାଷୀଙ୍କ ଧାନ ଦରମରା ହେଲାଣି । ବିହୁଡା, ରୁଆ ବେଉଷଣ କାର୍ଯ୍ୟ ଠପ ହୋଇରହିଛି । ଏଭଳିକ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ନିର୍ମିତ୍ତ ନିର୍ବାଚନ ମଣ୍ଡଳୀର ୭ ଗୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା ପଡ଼ିଥିବା ନେଇ ଚାଷୀ ହାହାକାର ହୋଇପଡିଥିବା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଆଜି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସରକାର ଏବଂ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଉପରେ ବର୍ଷିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ ନେଇ ପ୍ରକଳ୍ପ ଗୁଡିକ ସାକାର ହେବା ସହ ଦୀର୍ଘ ୫ ବର୍ଷ ହେବ ପ୍ରକଳ୍ପ ଗୁଡ଼ିକରୁ ହଜାର ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବା ସହ ଚାଷୀ ପରିବାର ଉପକୃତ ହୋଇଆସୁଥିଲେ । ତେବେ ବର୍ତ୍ତମାନ ସରକାର ପ୍ରକଳ୍ପ ଗୁଡିକରେ ତାଲା ପକାଇ ରଖିଛନ୍ତି । ଏହା ସରକାରଙ୍କ ଚାଷୀ ମାରଣ ନୀତି ବୋଲି ପୂର୍ବତନ ମନ୍ତ୍ରୀ ତୀବ୍ର ନିନ୍ଦା କରିଥିଲେ । ଏହା ସହ ସେ ଜଲସମ୍ପଦ ମନ୍ତ୍ରୀ ଥିବା ବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା, ଗୁଡଭେଲା ଏବଂ ଟିଟିଲାଗଡ଼ ବ୍ଲକରେ ଜଳସେଚନ ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୪ ଗୋଟି ନଦୀ ବ୍ୟାରେଜ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ । ତାହାର ଟେଣ୍ଡର ହୋଇସାରିଥିବା ବେଳେ ବର୍ତ୍ତମାନର ସରକାର ତାହାକୁ ବାତିଲ କଲେ । ଏହା ଶୁଖିଲା ତଥା ତତଲାଗଡ଼ ଅଞ୍ଚଳର ଚାଷୀ ପରିବାରଙ୍କ ପ୍ରତି ଚରମ ଉପହାସ । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରକୁ ପାନୀୟ ଜଳ ସଂଯୋଗ ପାଇଁ ଅନେକ ଗୁଡିଏ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରୁନାହିଁ । ଏନେଇ ଟିଟିଲାଗଡ଼ ବିଧାୟକ ଏବଂ ରାଜ୍ୟ ସରକାର ଲୋକଙ୍କ ପାଖରେ ଜବାବ ରଖନ୍ତୁ ବୋଲି ସେ ଦାବୀ କରିଥିଲେ । ବିଜେଡ଼ି ସରକାର ସମୟରେ ମିଶନ ଶକ୍ତି ହାଟ ଯୋଜନାରେ ଦେଢ଼ ବର୍ଷ ହେଲା ଟିଟିଲାଗଡ଼ ସହରରେ ନିର୍ମାଣ ହୋଇଥିବା ୬୯ଟି ଷ୍ଟଲରେ ତାଲା ପଡିଛି । ବିଧାୟକ ଷ୍ଟଲ ପିଛା ୧ ଲକ୍ଷ ଟଙ୍କା ଭିତିରିଆ ଦେବାକୁ ଦାବୀ କରୁଥିବାରୁ କେହି ଷ୍ଟଲ ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ସେ ଅଭିଯୋଗ କରିଥିଲେ । ଏଭଳି ଅନେକ ଅବ୍ୟବସ୍ଥା ନେଇ ତାଙ୍କ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ,ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା,ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ସଞ୍ଜୟ ବେହେରା, ସଇଁତଲା ସରପଞ୍ଚ ସୁବ୍ରତ ନାଗ, ବରିଷ୍ଠ ନେତ୍ରୀ ଉମାଦେବୀ ଅଗ୍ରୱାଲ, ପୂର୍ବତନ ପୌର ଉପାଧ୍ୟକ୍ଷା ଅଞ୍ଜନା ବର୍ମା,ପୂର୍ବତନ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ,ସମିତି ସଭ୍ୟା ଧିର ରଣା, ତୁଳସୀ ବଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment