ଜମି ଜାଲିଆତି ଓ ବିକ୍ରୟ ମାମଲାରେ ଜଣେ ମହିଳାଙ୍କ ସମେତ ୩ ଯୁବକ ଗିରଫ ।

ସାନଖେମୁଣ୍ଡି,୧୮/୦୮(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନସ୍ଥ ପଟିଗୁଡା ଗ୍ରାମରେ ଜଣେ ରୋଗାକ୍ରାନ୍ତ ମହିଳାଙ୍କ ଅଜ୍ଞାତରେ ତାଙ୍କ ଜମିକୁ ଜାଲିଆତି କରି ବିକ୍ରୟ କରିଥିବା ଅଭିଯୋଗରେ ଆଜି ପୋଲିସ ଜଣେ ମହିଳାଙ୍କ ସମେତ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାନଙ୍କ ମଧ୍ୟରେ ସାନଖେମୁଣ୍ଡି ବ୍ଳକ ପୋଡାମାରୀ ମହାନ୍ତି ସାହିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ସିମାଞ୍ଚଳ ବିଶ୍ବାସରା (୫୦) , ତାଙ୍କ ସ୍ତ୍ରୀ ହରପ୍ରିୟା ବିଶ୍ବାସରା (୩୫ ) , ଦିଗପହଣ୍ଡି ବଡବ୍ରାହ୍ମଣ ସାହିର ଦଲିଲ ଲେଖକ କମଳ କାନ୍ତ ତ୍ରିପାଠୀ (୩୩) , ସାକ୍ଷୀ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଡି . ଦଣ୍ଡପାଣି ଦୋରା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁସାରେ , ପାଟପୁର ଥାନା ଅଧୀନସ୍ଥ ପଟିଗୁଡା ଗ୍ରାମ ବାସିନ୍ଦା ସୁଭଦ୍ରା ବିଶ୍ବାସରା ଜଣେ ରୋଗାକ୍ରାନ୍ତ ମହିଳା ହୋଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ତାଙ୍କ ଜମିକୁ ବେଆଇନ ଭାବେ ଜାଲିଆତି କରି ହଡ଼ପ କରି ନେଇଥିବା ଥାନାରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ନରସିଂହ ବିଶ୍ବାସରା ଓ ସୁଭଦ୍ରାଙ୍କ ଝିଅ କୁନି ବିଶ୍ବାସରା । ଗତ ୨୦୧୮ ମେ ୧୫ ତାରିଖରେ ଅଭିଯୁକ୍ତ ସିମାଞ୍ଚଳ ଓ ତାଙ୍କ ସ୍ତ୍ରୀ ହରପ୍ରିୟା ସମେତ ସାକ୍ଷୀ ଦଣ୍ଡପାଣି ଏବଂ ପଟିଗୁଡା ଗ୍ରାମର ଅନ୍ୟତମ ସାକ୍ଷୀ କାଳୁଚରଣ ଗୈାଡ ମିଶି ଦଲିଲ ଲେଖକ କମଳାକାନ୍ତଙ୍କ ସହାୟତାରେ ପଟିଗୁଡ଼ା ଗ୍ରାମର ହାଡିଆଣି ନାଇକଙ୍କୁ ଦିଗପହଣ୍ଡି ଉପ ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ( ସବ ରେଜିଷ୍ଟ୍ରାର ) ରେ ଉପସ୍ଥିତ କରାଇ ନିଜକୁ ସୁଭଦ୍ରା ବିଶ୍ୱାସରା ବୋଲି ଦର୍ଶାଇ ନିଜ ଫଟୋ ସଂଲଗ୍ନ କରି ନିଜେ ଦସ୍ତଖତ କରି ବେଆଇନ ଭାବେ ସାନଖେମୁଣ୍ଡି ତହସିଲ ପଟିଗୁଡ଼ା ମୌଜା ଖାତା ନଂ.୪୧୦/୨୪୧ ଏବଂ ୪୧୦/୧୮୪ ରେ ଥିବା ସମୁଦାୟ ୫.୨୯୩ ଡେସିମିଲ ଜମିକୁ ଦଲିଲ ନଂ. ୧୦୬୩୧୮୦୧୨୩୨ ପ୍ରକାରେ ପୋଡ଼ାମାରି ଗ୍ରାମରେ ରହୁଥିବା ହରିପ୍ରିୟ ବିଶ୍ୱାସରାଙ୍କ ନାମରେ ରେଜିଷ୍ଟ୍ରେସନ କରି ୪୫୮୯୦୦ ଟଙ୍କା ବିନିମୟରେ ବିକ୍ରି କରିଥିଲେ । ଏପରିକି ସମସ୍ତ ଟଙ୍କା ସୁଭଦ୍ରା ନିଜେ ଗ୍ରହଣ କରି ନେଇଥିବା ଦର୍ଶାଇଛନ୍ତି । ତେବେ କୁନି ଗତ ଅପ୍ରେଲ ୨୮ ତାରିଖରେ ସବ୍ ରେଜିଷ୍ଟ୍ରାର ଅଫିସରୁ ଉକ୍ତ ଦଲିଲର ନକଲ କପି ବାହାର କରିବା ପରେ ସବିଶେଷ ତଥ୍ୟ ପଦାକୁ ଆସିଥିବା ଜଣାପଡିଥିଲା । ଏହାର ତଦନ୍ତ କରାଯିବା ନିମନ୍ତେ କୁନି ବିଶ୍ୱାସରା ଗଞ୍ଜାମ ଜିଲ୍ଲାପାଳଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହ ପାଟପୁର ଥାନାରେ ଏତଲା ଦେଇଥିଲେ । ପ୍ରକୃତ ଜମି ମାଲିକ ସୁଭଦ୍ରା ବିଶ୍ୱାସରା ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆଦୌ ଆସିନଥିବା ବେଳେ କିମ୍ବା ବିକ୍ରୟ ଅର୍ଥରାଶି ପାଇ ନଥିବା ବେଳେ ଏଭଳି ଜାଲିଆତି କରି ତାଙ୍କ ସମ୍ପତ୍ତିକୁ ହଡ଼ପ କରାଯାଇଥିବା କୁନି ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । କୁନିଙ୍କ ଏତଲାକୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ ୨୬୭/୨୨ ଦଫା ୪୧୯/୪୨୦/୪୬୭/୪୬୮/ ୪୭୧/୧୨୦-ବି/ ୩୪ ଆଇପିସି ଧାରା ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଜାମିନ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment