ଜମି ଓ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ଓ ଦଳିତଙ୍କ ଧରାକୋଟ ବ୍ଳକ୍ ଘେରାଉ ।

ବ୍ରହ୍ମପୁର,୩୦/୦୭(ପିପିଟି): ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ତଥା ଗୃହହୀନଙ୍କୁ ବାସଗୃହ ଯୋଗାଇବା ଦାବିରେ ଆଜି ଧରାକୋଟ ବ୍ଳକର ଶହ ଶହ ସଂଖ୍ୟାରେ ଗରିବ ଲୋକ ବ୍ଳକ୍ ଅଫିସକୁ ଘେରାଉ କରିଥିଲେ । ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥାନୀୟ ହସ୍ପିଟାଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବ୍ଳକ ଅଫିସ୍ ଠାରେ ପହଞ୍ଚିଥିଲା । ସେଠାରେ ସଂଗଠନର ବ୍ଳକ୍ ସଭାପତି ଯକ୍ଷ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ଓ ରାଜ୍ୟର ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟର ଗରିବ ଲୋକ ବିଶେଷ କରି ଦଳିତ ଓ ଆଦିବାସୀମାନଙ୍କୁ ପ୍ରତାରିତ କରି କେବଳ ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ସେବା କରୁଛି ବୋଲି କହିଥିଲେ । ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣର ଉଦାହରଣ ଦେଇ ସରକାର ଆଦାନୀ ଓ ଟାଟା ପରି ବଡ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ସେ ଅଞ୍ଚଳର ୨୩ଟି ଆଦିବାସୀ ଗାଁକୁ ଉଜାଡିବାକୁ ଯାଉଛନ୍ତି ବୋଲି କହିଥିଲେ । ସେହିପରି ରାଜ୍ୟରେ ଭୂମିହୀନ ଲୋକଙ୍କୁ ଜମି ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଗତ ବର୍ଷକ ମଧ୍ୟରେ ଜଣକୁ ବି ଦେବାରେ ସଫଳ ହୋଇନାହାନ୍ତି ବୋଲି ସମାଲୋଚନା କରିଥିଲେ । ନିକଟରେ ଧରାକୋଟ ବ୍ଳକରେ ଗୋ ସୁରକ୍ଷା ନାଁରେ ବଜରଙ୍ଗ ଦଳର ତଥାକଥିତ ଗୋ ରକ୍ଷକମାନେ ଦୁଇ ଜଣ ଦଳିତ ବ୍ୟକ୍ତିଙ୍କୁ ଅମାନୁଷିକ ଅତ୍ୟାଚାର ଓ ନିର୍ଯ୍ୟାତନା ଦେବା ଘଟଣାରେ ଏଠାକାର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ନୀରବ ରହିବା ଏବଂ ପିଡୀତମାନଙ୍କୁ ଭେଟିବାକୁ ନଯିବା ସେମାନଙ୍କ ଦଳିତ ବିରୋଧି ମାନସିକତାକୁ ଦର୍ଶାଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ,ଅରକ୍ଷିତ ଗମାଙ୍ଗ,ଦୟାନିଧି ସେଠୀ,ନରସିଂହ ଦଳବେହେରା,ସଞ୍ଜୟ ନାୟକ,ସନ୍ତୋଷ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସଂଗଠନ ପକ୍ଷରୁ ୧୪ ଦଫା ସମ୍ବଳିତ ଏକ ସ୍ମାରକପତ୍ର ସେଠାରେ ଉପସ୍ଥିତ ତହସିଲଦାର ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବା ସହ ଆଲୋଚନା କରାଯାଇଥିଲା । ଏଥିରେ ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଅଧିକାର ଆଇନ୍ ଅନୁସାରେ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ, ଗୃହହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା, ଏମଜିଏନଆରଇଜିଏ ବା ମନରେଗା ଯୋଜନାରେ କାମ କରିବାକୁ ଚାହୁଁଥିବା ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇଦେବା,ରାସନ କାର୍ଡରୁ ବଞ୍ଚିତ ଗରିବ ଲୋକଙ୍କୁ ରାସନ୍ କାର୍ଡ ଦେବା ଆଦି ଦାବି କରାଯାଇଥିଲା ।

Comments (0)
Add Comment