ଯାଜପୁର, ୧୮/୦୫(ପିପିଟି): ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରଙ୍କ ଏକ କଲ୍ୟାଣକାରୀ ନୂତନ କାର୍ଯ୍ୟକ୍ରମ “ଜନ ଭାଗିଦାରୀ ଅଭିଯାନ” ଆଜି ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ମଇ ୧୮ ରୁ ୨୫ ତାରିଖ ଯାଏଁ ଚାଲିବ। ଯାଜପୁର ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ସହ ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗ ଦ୍ଵାରା ହିତାଧିକାରୀ ସାଚୁରେଶନ କ୍ୟାମ୍ପ, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସିଧାସଳଖ ହିତାଧିକାରୀଙ୍କୁ ସମସ୍ତ ଯୋଜନାର ସୁଫଳ ଯୋଗାଇ ଦିଆଯିବ। ଏନେଇ ଅଭିଯାନ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲାର ୫ ଟି ଅନୁସୂଚିତ ଜନଜାତି ବହୁଳ ବ୍ଲକ ଯଥା ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଗୋଷ୍ଠୀ ବିଶେଷ ଭାବେ ଉପକୃତ ହେବେ। ପ୍ରାୟ ୬୯ ଟି ଜନଜାତି ବହୁଳ ଗ୍ରାମରେ ଏହି ଅଭିଯାନ ବ୍ୟାପକ ଭାବେ ଅନୁଷ୍ଠିତ ହେବ। ବିଶେଷ କରି ପିଏମ୍ ଜନମନ୍ ଏବଂ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଯୋଜନାର ସଫଳ ରୂପାୟନ କରାଯିବ। ଜନଜାତି ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପୋଷଣ, ପାନୀୟ ଜଳ ଭଳି ସୁବିଧା ସୁନିଶ୍ଚିତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶେଷରେ ଜିଲ୍ଲାରେ ଜନଜାତି ଗୋଷ୍ଠୀଙ୍କ ବିକାଶକୁ ନେଇ ସାମ୍ବାଦିକମାନେ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମାଙ୍ଗଳିକା ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।