ଜନଗଣନା ବାର୍ତ୍ତା ନେଇ ବଜାରକୁ ଆସିଲା ଓମ୍ଫେଡର ନୂଆ ପ୍ରିମିୟମ ମିଲ୍କ ପ୍ୟାକ୍ ।

ଭୁବନେଶ୍ୱର,୨୬୦୩(ପିପିଟି):ନୂଆ ପ୍ୟାକରେ ବଜାରକୁ ଆସିଲା ଓମ୍ଫେଡ୍ ପ୍ରିମିୟମ ମିଲ୍କ । ଜନ ‘ଗଣନାରୁ ଜନ କଲ୍ୟାଣ’ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି ଓମ୍ଫେଡ୍ । ସଂପ୍ରତ୍ତି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହଭାଗିତାର ହାତ ବଢାଇଛି ଓମ୍ଫେଡ୍ । ଆମ ରାଜ୍ୟରେ ଜାରି ରହିଥିବା ଡିଜିଟାଲ ଜନଗଣନାରେ ସ୍ୱ- ଗଣନା ଏବଂ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟକ୍ରମରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ଓମ୍ଫେଡ୍ । ସେଥିପାଇଁ ଓମ୍ଫେଡ୍ ତାର ପ୍ରିମିୟମ ଦୁଗ୍ଧ ପ୍ୟାକେଟର ପ୍ରିଣ୍ଟିଂ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି । ଏହି ଦୁଗ୍ଧ ପ୍ୟାକେଟ୍ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓମ୍ଫେଡ୍ ।

“ଆଜିର ଜନଗଣନା, କାଲିର ବିକାଶ” ଶୀର୍ଷକ ସ୍ଲୋଗାନ ଲେଖାଥିବା ଏହି ପ୍ରମିୟମ ଦୁଗ୍ଧ ପ୍ୟାକେଟରେ ସ୍ୱ-ଗଣନା ୧ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ବ୍ୟକ୍ତି ସ୍ୱ-ଗଣନା ପୋର୍ଟାଲରେ ନିଜର ସମସ୍ତ ତଥ୍ୟ ନିଜେ ନିଜେ ଦେଇପାରିବେ । ସେହିପରି ଏପ୍ରିଲ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଗୃହ ତାଲିକା ଓ ଗୃହଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସର୍ବାଧିକ ବିକ୍ରିହେଉଥିବା ପ୍ରିମିୟମ କାଓ ମିଲ୍କ (Cow Milk) ପ୍ୟାକେଟରେ ଉଲ୍ଲେଖ କରାଯାଇଛି । ଏହି ନୂତନ ପ୍ୟାକିଂ ପ୍ରମିୟମ ଦୁଗ୍ଧ ପ୍ୟାକେଟକୁ ଆଜି ଜନଗଣନା ନିର୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପଓ୍ୱନ କଲ୍ୟାଣ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ନୂତନ ପ୍ୟାକରେ ଓମ୍ଫେଡ୍ ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ତାର ପ୍ରିମିୟମ ମିଲ୍କ ବଜାରକୁ ଛାଡିବ ।

ଏହି ଉପଲକ୍ଷେ ଆଜି ଭୁବନେଶ୍ୱରସ୍ଥିତ ଓମ୍ଫେଡ୍ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜନଗଣନା ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ହେମନ୍ତ କୁମାର ସିଂହ, ହାରାଧନ କର୍ମୀ,ଡକ୍ଟର ଅଭୟ ନାରାୟଣ ନାୟକ, ସହକାରୀ ନିର୍ଦେଶକ ଲକ୍ଷ୍ମଣ ମୁଖିଙ୍କ ସହ ଓମ୍ଫେଡର ଡେପୁଟି ମ୍ୟାନେଜର (ପିଆର୍, ପ୍ରୋକ୍ୟୁରମେଣ୍ଟ) ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ, ଡେପୁଟି ମ୍ୟାନେଜର (ଫାଇନାନ୍ସ) ତାପସ ରଂଜନ ମିଶ୍ର ଓ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

ସେହିପରି ସମଗ୍ର ରାଜ୍ୟରେ ଥିବା ସମସ୍ତ ଓମ୍ଫେଡ୍ ଷ୍ଟଲ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଦୁଇ ପ୍ରକାର ପୋଷ୍ଟର ଜାରି କରାଯାଇଛି । ଭାରତ ସରକାର ଓ ଓଡିଶା ସରକାରଙ୍କ ଲୋଗ ସହିତ ଭାରତୀୟ ଜନଗଣନା ଲୋଗ ଥିବା ଏହି ପୋଷ୍ଟରରେ “ଜନଗଣନାରୁ ଜନ କଲ୍ୟାଣ” ଶୀର୍ଷକ ସ୍ଲୋଗାନ ଲେଖା ହୋଇଛି । ଓଡିଆରେ ଲେଖାଥିବା ଏହି ପୋଷ୍ଟର ଓଡିଶାର ସମସ୍ତ ଓମ୍ଫେଡ୍ ଷ୍ଟଲରେ ଲାଗିବ ।

ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ଏହି ନୂତନ ପ୍ୟାକରେ ଓମ୍ଫେଡ୍ ତାର ପ୍ରିମିୟମ ଦୁଗ୍ଧ ବଜାରକୁ ଛାଡିବ । ଯେହେତୁ ଓମ୍ଫେଡ୍ ଦୁଗ୍ଧ, ଓଡିଶାର ଘରେ ଘରେ ପରିଚିତ, ତେଣୁ ଏହା ମାଧ୍ୟମରେ ଜନସାଧାରଣ ଖାସ୍ କରି ଘରର ମହିଳାମାନେ ସଚେତନ ହୋଇପାରିବେ ବୋଲି କହିଛନ୍ତି ଜନଗଣନା ନିର୍ଦ୍ଦେଶକ ଶ୍ରୀ ପଓ୍ୱନ କଲ୍ୟାଣ । ଓମ୍ଫେଡ୍ ହେଉଛି ଦେଶର ପ୍ରଥମ ସମବାୟ ସଂସ୍ଥା, ଯିଏ ଲୋକମାନଙ୍କୁ ଜନଗଣନା ସଂପର୍କରେ ସଚେତନ କରାଇବା ପାଇଁ ଆଗେଇ ଆସିଛି ବୋଲି ଜନଗଣନା ଅଧିକାରୀ କହିଛନ୍ତି ।

Comments (0)
Add Comment