ଜଙ୍ଗଲ ଜୀବଜଗତ ପାଇଁ ଅମୂଲ୍ୟ ସମ୍ପଦ: ବିଧାୟକ

ଭଞ୍ଜନଗର, ୧୮/୧୨(ପିପିଟି) : ଜଙ୍ଗଲ ନଷ୍ଟ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଦିନକୁ ଦିନ ନିଆଁ ଲାଗି ଗଛପତ୍ର ପୋଡ଼ିବା ସହ ବହୁ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଯାହା ଫଳରେ ସମଗ୍ର ଜୀବ ଜଗତ ପାଇଁ ବିପଦ ସୃଷ୍ଟି ହୋଇଛି।ଏହାକୁ ରୋକିବା ପାଇଁ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଭଞ୍ଜନଗର ସ୍ଥିତ ଲାଲ ସିଂ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ବନାଗ୍ନୀ ପ୍ରଶମନ ଓ ପରିଚାଳନା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମା ଶଙ୍କର ବେହେରା, ଭାରପ୍ରାପ୍ତ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ,ଅଗ୍ନିଶମ ବିଭାଗ ଅଧିକାରୀ ସମୀର କୁମାର ବିଶ୍ବାଳ,ଜଗନ୍ନାଥ ପ୍ରସାଦ ତହସିଲଦାର, ବିଡ଼ିଓ,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିଲେ।ଜଙ୍ଗଲର ଆବଶ୍ୟକତା କୁ ଦୃଷ୍ଟିରେ ରଖି ତାର ସୁରକ୍ଷା ଓ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷାକରିବା ପାଇଁ ବିଭିନ୍ନ ଉପାୟ,ସହାୟତା ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ।ଦୂର ଦୁରାନ୍ତରେ ଥିବା ଗ୍ରାମଗୁଡିକରେ ଓ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଭଞ୍ଜନଗର ଠାରୁ ଦମକଳ ଯିବାରେ ବହୁ ବିଳମ୍ବ କାରଣରୁ ବହୁ ଧନ ଜୀବନ ଓ ଜଙ୍ଗଲ ନଷ୍ଟ ହେଉଛି।ତେଣୁ ଗାଲେରୀ ଓ ତାରସିଂ ଠାରେ ଅତିଶୀଘ୍ର ଦୁଇଟି ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ ବନବିଭାଗର ଉନ୍ନତି ପାଇଁ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ।ଏଥିସହ ଉତ୍ତର ଘୁମୁସର ବନଖଣ୍ଡରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନତା ରଥକୁ ଅତିଥିମାନଙ୍କ ଦ୍ଵାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସମସ୍ତ ବନ ସୁରକ୍ଷା ସମିତି ସଦସ୍ୟ, ବନ ବିଭାଗ କର୍ମଚାରୀ, ସ୍କ୍ୱାର୍ଡ ଆଦି ଯୋଗ ଦେଇଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment