ମାଲକାନଗିରି,ତା:୧୬/୧୦(ପିପିଟି),ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତର କଚେଲି ଗ୍ରାମର ଏକ ଆଦିବାସୀ ପରିବାରର ସଦସ୍ଯମାନେ ଜଙ୍ଗଲୀ କନ୍ଦା ଖାଇ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳ ୨ ଜଣ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ କଚେଲି ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଆଦିବାସୀମାନେ ପାରମ୍ପାରିକ ଭାବେ ଜଙ୍ଗଲରୁ ବିଭିନ୍ନ କନ୍ଦା,ଶାଗ,ବାଉଁଶ କରଡି,ଛତୁ ଇତ୍ଯାଦି ଋତୁ ଅନୁସାରେ ସଂଗ୍ରହ କରି ଖାଇବା ସହ ହାଟ ବଜାରରେ ମଧ୍ଯ ବିକ୍ରୟ କରିଥାନ୍ତି । ତେବେ ବୁଧବାର ଦିନ ପାଣ୍ଡୁ ମାଡିଙ୍କ ସ୍ତ୍ରୀ ଭୀମେ ମାଡି (୪୦)ନିକଟସ୍ଥ ଜଙ୍ଗଲକୁ କନ୍ଦା ଏବଂ ବାଉଁଶ କରଡି ସଂଗ୍ରହ କରି ରାତିରେ ରନ୍ଧନ କରି ଖାଇଥିଲେ । ହଠାତ ଏହି ଖାଦ୍ଯ ବିଷାକ୍ତ ହୋଇ ଝିଅ ସୁକାନ୍ତି ମାଡି (୧୨),ପୁଅ ସୀତାରାମ ମାଡି(୭) ଗୁରୁତର ଅସୁସ୍ଥ ହେବାରୁ ରାତିରେ ସ୍ଥାନୀୟ ଗୁଣିଆ ଡକାଇ ଝାଡ ଫୁଙ୍କ କରିଥିଲେ । କିନ୍ତୁ ସେ ଦୁଇ ସନ୍ତାନ ମଧ୍ଯ ରାତ୍ରରେ ଅକାଳ ମରଣକୁ ଆଲିଙ୍ଗନ କରିଥିବା ବେଳେ ରାଣ୍ଡ୍ରୁଙ୍କ ସ୍ତ୍ରୀ ଭୀମେ ମାଡି(୪୦) ଝିଅ ଅଞ୍ଜଳୀ (୫) ଏବଂ ମାଳତୀ ମାଡି (୩)ଙ୍କୁ ଗୁରୁବାର ସକାଳେ ସ୍ବାସ୍ଥ୍ଯ କର୍ମୀମାନେ ଆମ୍ବୁଲାନ୍ସ ଡାକି ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ !ତେବେ ଚିକିତ୍ସିତ ଅବସ୍ଥାରେ ଅଞ୍ଜଳୀର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଭୀମେ ଏବଂ ମାଳତୀ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ତାଙ୍କ ସ୍ବାସ୍ଥ୍ଯର ଉନ୍ନତି ଘଟୁଥିବା କୁହାଯାଇଛି । ତେବେ ବିଷକ୍ରିୟା କେଉଁ କାରଣରୁ ହୋଇଛି ଡାକ୍ତରମାନେ ଘଟଣା ସ୍ଥଳକୁ ଯାଇ ଖାଦ୍ଯ ନମୁନା ସଂଗ୍ରହ କରିଥିବା ବେଳେ ଶବ ବ୍ଯବଛେଦ ପରେ ବାସ୍ତବ କାରଣ ଉନ୍ମୋଚିତ ହୋଇ ପାରିବ ବୋଲି କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାଂକ,ମାଲକାନଗିରି)