ଜଙ୍ଗଲରୁ ଶିକାରୀକୁ ଗିରଫ କଲା ତାର ସିଂ ପୋଲିସ; ହରିଣ ସିଙ୍ଗ ଓ ବନ୍ଧୁକ ଜବତ ।

ଭଞ୍ଜନଗର, ୦୯/୦୯(ପିପିପି):ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାର ସିଂ ରେଞ୍ଜ ଘଞ୍ଚ ଜଙ୍ଗଲରେ କିଛି ଶିକାରୀ ବନ୍ଧୁକ ସାହାଯ୍ୟରେ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଖବର ପାଇ ତୁରନ୍ତ ତାର ସିଂ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ।ଏହାକୁ ନେଇ ଆଇଆଇସି ଶ୍ରମତୀ ପୂଜାରୀ ଏକ ପୋଲିସ ଟିମ୍ ଗଠନ କରି ଉକ୍ତ ଅଞ୍ଚଳରେ ଥିବା ଶିକାରୀଙ୍କ ଉପରେ କିଛି ଦିନ ହେଲା ନଜର ରଖିଥିଲେ।ଆଜି ସକାଳେ ଏସଆଇ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ମାଙ୍କଡ଼ କୁମ୍ପା ଛକ ନିକଟରେ ଗାଲେରୀ ଫାଣ୍ଡି ଅଧିନ ଭୁରୁଡ଼ୁ ପଲି ଗ୍ରାମର ସନିଆ ମଲିକ ନାମକ ଜଣେ ବ୍ୟକ୍ତି ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ।ସଙ୍ଗେ ସଙ୍ଗେ ପୋଲିସ୍ ଟିମ୍ ଯାଇ ଜଙ୍ଗଲରେ ସନିଆକୁ ଧରିବାରେ ସକ୍ଷମ ହୋଇଥିଲେ ଏବଂ ତାଠାରୁ ଏକ ଦେଶୀ ବନ୍ଧୁକ ଉଦ୍ଧାର କରିଥିଲେ।ତାକୁ ପଚରା ଉଚରା ବେଳେ ସେ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରେ ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର କରିଥିବା ସ୍ୱୀକାର କରିଥିଲା।ଅଧିକ ତଦନ୍ତ ବେଳେ ସେ ଜଙ୍ଗଲ ମଧ୍ୟରେ ଲୁଚେଇ ରଖିଥିବା ୨ଟି ହରିଣ ସିଙ୍ଗ, ମୁହଁ, ମୁଣ୍ଡର କଙ୍କାଳ ଓ ଉକ୍ତ ବନ୍ଧୁକ ପୋଲିସ୍ ଉପସ୍ଥିତିରେ ଜବତ କରାଯାଇଛି।ଏହି ଘଟଣାରେ ତାର ସିଂ ଥାନା କେସ ନଂ ୩୩୭/୨୫ରେ ଏକ ମାମଲା ରୁଜୁ ହୋଇଛି।ଆଜି ଅଭିଯୁକ୍ତ ସନିଆ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ ଦୀପକ କୁମାର ମିଶ୍ର ଆଜି ନିଜ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ, ଏସଆଇ ସମୀର ବେହେରା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment