***ଜଗନ୍ନାଥ ନାମ ସଂସାରେ ସାର***

ଜଗନ୍ନାଥ ନାମ ସଂସାରେ ସାର
ଭଜୁଥାରେ ମନ ଭଜୁଥା….
ଏ ଭବ ସାଗରୁ କରିବେ ଉଦ୍ଧାର
ହରି ନାମ ସଦା ଗାଉଥା…!!
ଏହି କଳିକାଳ ରୀତି ବିପରିତ
ସବୁ ମାୟା ମୋହ ଜାଣିଥା….
ଯାହାକୁ ଭରସା କରିବୁ ଧନରେ
ସେହି ଛେଦିବ ତୋ ମଥା….
ଏକା ସାହା ସେହି ଜଗତ ଠାକୁର
ତାଙ୍କ ପାଦେ ଲୟ ରଖିଥା….!!
ଏମିତି ସଂସାରେ ହରିବାକୁ ଦୁଃଖ
ଅଛି କେ ସଂସାର କରତା….
ଅନ୍ତର୍ଯ୍ୟାମୀ ନାଥ ଅନାଥର ନାଥ
ଜାଣନ୍ତି ସକଳ ବାରତା….
ବଳିଆର ଭୁଜ କାଳିଆ ସାଆନ୍ତ
ନିତ୍ଯ ନାମ ବ୍ରହ୍ମ ଜପୁଥା….!!
ହରେ କୃଷ୍ଣ ହରେ ରାମ ନାମ ମନ
ତୁଣ୍ଡେ ଉଚ୍ଚାରଣ କରୁ ଥା….
କାଳ ଦଣ୍ଡ କଷ୍ଟ ହରିବ ନିଶ୍ଚିତ
ସେ ଦିବ୍ଯ ନେତ୍ରୁ କୁ ଚାହିଁ ଥା….
ଅନ୍ତିମ କାଳରେ ଶ୍ରୀକ୍ଷେତ୍ରକୁ ଯାଇ
ମୁକତି ଲାଭ ତୁ କରୁଥା….!!
ଭୋକ ହେଲେ ମନ ଅଭଡ଼ା ଭୁଞ୍ଜିଣ
ପେଟର ଭୋଗକୁ ହରୁ ଥା….
ତୃଷ୍ଣା ନିବାରଣ କରିବାକୁ ହେଲେ
ଟଙ୍କ ତୋରାଣି କୁ ପିଉଥା…
ନିଦ ହେବ ଯଦି ଶରଧାବାଲିକୁ
ଶେଯ କରି ଟିକେ ଗଡୁଥା…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)

Comments (0)
Add Comment