ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ୱ ଶାନ୍ତି ମହାଯଜ୍ଞ ; ଭଞ୍ଜନଗରରେ ଶୁଭ ସ୍ତମ୍ବ ସ୍ଥାପନ ।

ଭଞ୍ଜନଗର, ୨୩l୧୦. ଦିନକୁ ଦିନ ପୃଥିବୀରେ ହିଂସା, ଅରାଜକତା ଓ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି।ଯାହା ଫଳରେ ସମଗ୍ର ଜୀବ ଜଗତ ଆଉ ସୁରକ୍ଷିତ ନୁହଁନ୍ତି।ତେଣୁ ଜଗତ କଲ୍ୟାଣ ଓ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆସନ୍ତା ମାସ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ୨୧କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି।ଏଥିରେ ଦେଶର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗ ଦେବା ସହ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଗୋ ଯଜ୍ଞ,ନାମ ଯଜ୍ଞ ଓ ଜପ ଯଜ୍ଞ ଆଦି ୫ମହାଯଜ୍ଞ ଅନୁଷ୍ଠିତ ହେବ।ଏହି ଅବସରରେ ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର ପରିସରରେ ଶୁଭ ସ୍ତମ୍ବ ସ୍ଥାପନ କରାଯାଇଛି।ଆଜି ସକାଳ ୮ଟା ସମୟରେ ଭେଜିପୁଟ ଶିବ ମନ୍ଦିର ଠାରୁ ଆତସବାଜି, ନାମ ସଂକୀର୍ତ୍ତନ, ଘଣ୍ଟ,ବାଦ୍ୟ କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଖାଲା ସାହି ଦେଇ ରଘୁନାଥ ମନ୍ଦିରରୁ ଆଜ୍ଞାମାଳ ଆଣି ମେନ ରୋଡ଼, ବସ ଷ୍ଟାଣ୍ଡ, ମହାବୀର ଛକ ଦେଇ ଆରଏମସି ପଡ଼ିଆରେ ପହଞ୍ଚି ଥିଲା।ସେଠାରେ କର୍ତ୍ତା ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାଙ୍କର ସହଧର୍ମିଣୀ ଏବଂ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଉପସ୍ଥିତିରେ ବ୍ରାହ୍ମଣ ଓ ପୁରୋହିତ ମାନେ ରୀତିନୀତି ଅନୁସାରେ ସମସ୍ତ ପୂଜାକର୍ଯ୍ୟ ସମାପନ କରିଥିଲେ।ଏହାପରେ ଶୁଭ ସ୍ତମ୍ବ ନିକଟରେ ପୁରୀ ଶ୍ରୀ ମନ୍ଦିରରୁ ଆସିଥିବା ଧ୍ବଜା ବାନ୍ଧି ପୂଜାର୍ଚ୍ଚନା ଓ ଆଳତୀ ପରେ ସ୍ତମ୍ବ ସ୍ଥାପନ କରାଯାଇଥିଲା।ଏଥିରେ ପୁରୀ ରୁ ଅଭିରାମ ମହାରାଜ, ନେମାଳରୁ ମହନ୍ତ ବିଶ୍ବମ୍ବର ଦାସ ମହାରାଜ, ପୁରୋହିତ ଉପେନ୍ଦ୍ର ମିଶ୍ର, ଚନ୍ଦ୍ରମଣି ମିଶ୍ର, ଜୟକୃଷ୍ଣ ମିଶ୍ର, ସୀମାଞ୍ଚଳ ଦାସ ଙ୍କ ସମେତ ରାମକୃଷ୍ଣ ଦାସ, ନୀଳ ମାଧବ ପାତ୍ର, ରବୀନ୍ଦ୍ର ଗୌଡ଼, ଧୋବା ଗୌଡ଼, ମାନସ ଜେନା, ସୁଧୀର ବେହେରା, ଗିରିଜା ଶଙ୍କର ଭୂୟାଁ ଓ ଅନ୍ୟ ମାନେ ସହଯୋଗ କରିଥିଲେ। ଭଞ୍ଜନଗର ସମେତ ଏହାର ଆଖପାଖ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ।

(ଜେ. କେ ପଟ୍ଟନାୟକ)

Comments (0)
Add Comment