ଜଗତସିଂହପୁର ପୋୖରାଞ୍ଚଳ ୭ ନମ୍ବର ୱାର୍ଡରେ ଅସଜଡ଼ା ପରିମଳ ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ।

ଜଗତସିଂହପୁର,୩୦/୧୧(ପିପିଟି): ଜଗତସିଂହପୁର ପୋୖରାଞ୍ଚଳ ଅନ୍ତର୍ଗତ ୭ ନମ୍ବର ୱାର୍ଡ ଏକ ମୁଖ୍ୟ ୱାର୍ଡ ଅଟେ । ଏହି ୱାର୍ଡର ମୁଖ୍ୟ ରାସ୍ତା ଆଖପାଖ ଅଂଚଳର ଜନସାଧାରଣ ମାନଙ୍କର ଏକ ମୁଖ୍ୟ ରାସ୍ତା ଅଟେ । ପ୍ରତ୍ୟକ ଦିନ ବହୁ ଜନସାଧାରଣ ଏହି ରାସ୍ତା ମାଧ୍ୟମରେ ଗମନାଗମନ କରନ୍ତି । ଏହି ରାସ୍ତା ଉପରେ ରଘୁନାଥପୁର ବ୍ଲକର ବହୁ ଲୋକ ଯିବା ଆସିବା ନିମନ୍ତେ ନିର୍ଭରଶୀଳ। ମାତ୍ର ବିଗତ କିଛି ଦିନ ହେଲା ଏହି ରାସ୍ତାର ଅସଜଡ଼ା ପରିମଳ ବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ସ୍ଥାନୀୟ ୱାର୍ଡର ଜନସାଧାରଣ ଓ ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କୁ ଚିନ୍ତାରେ ପକାଇଛି । ଏହି ୭ ନମ୍ୱର ୱାର୍ଡରେ ପୋୖରାଞ୍ଚଳ ପକ୍ଷରୁ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ଜନସାଧାରଣ ନିଜର ଆବର୍ଜନା ଡ୍ରେନେଜ ପାଣି ଏହି ରାସ୍ତା ଉପରକୁ ଛାଡିବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ଏହି ରାସ୍ତା ଉପରେ ଆବର୍ଜନା ପାଣି ଉପରେ ଯିବାଆସିବା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଲାଣି ଓ ସମଗ୍ର ଅଂଚଳରେ ଏକ ଦୂଷିତ ପରିବେଶ ସୃଷ୍ଟି ହେବା ଯୋଗୁ ସ୍ଥାନୀୟ ଲୋକ ଓ ପଥଚାରିମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି । ଏହି ସମସ୍ୟାର ସମାଧାନ ଓ ୱାର୍ଡର ମୁଖ୍ୟରାସ୍ତା କଡରେ ଡ୍ରେନେଜ ବ୍ୟବସ୍ତା କରିବାକୁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଜଗତସିଂହପୁର ପୋୖରାଞ୍ଚଳ କତ୍ତୃପକ୍ଷଙ୍କୁ ନିବେଦନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଠାରେ ଏକ ଉଲେଖଯୋଗ୍ୟ ତଥ୍ୟ ଯେ କିଛି ରାଜନୈତିକ ବ୍ୟକ୍ତିଙ୍କ ପକେଟ ଗରମ ପାଇଁ ଯେଉଁଠି ଡ୍ରେନେଜର ଆବଶ୍ୟକ ନାହିଁ ଯଥା ସେ ସ୍ଥାନ ସବୁ ଗଳି ରାସ୍ତା ଓ ସେ ସ୍ଥାନରେ ଆବର୍ଜନା ପାଣି ଯିବା ପାଇଁ ସୁବିଧା ଅଛି ମାତ୍ର ସେ ସ୍ଥାନରେ ଅଯଥାରେ ଡ୍ରେନ କରାଯାଇଛି କିନ୍ତୁ ମୁଖ୍ୟରାସ୍ତା ଉପରେ ଡ୍ରେନ କରାଯାଉନାହିଁ । ଏଣୁ ଏହି ୱାର୍ଡରେ ଉପଯୁକ୍ତ ଡେନ୍ରେଜ ବ୍ୟବସ୍ଥା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜନସାଧାରଣରେ ଦାବି ହୋଇଛି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment