ଛେଳି ଚୋରୀ ଘଟଣାରେ ୪ଅଭିଯୁକ୍ତ ଗିରଫ ।

ଭଞ୍ଜନଗର, ୩୦/୦୯(ପିପିଟି ):ତାର ସିଂ ଥାନା ଲେମ୍ବେଇ ଗ୍ରାମର କବିରାଜ ଗୌଡ଼ଙ୍କ ଗୁହାଳରୁ ଏକ ଅଣ୍ଡିରା ଛେଳି ଚୋରି ଘଟଣାରେ ପୋଲିସ ଉକ୍ତ ଛେଳିକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଗୋଟିଏ ମୋଟର ସାଇକେଲ ଜବତ କରିଛି। ଗତ ୨୭ତାରିଖ ସକାଳେ କବିରାଜ ତାଙ୍କ ଗୁହାଳରେ ଛେଳିଗୁଡ଼ିକୁ ଜୋରରେ ଗର୍ଜନ କରୁଥିବାର ଶୁଣି ଭିତରକୁ ଯାଇ ଦେଖିଲେ ଗୁହାଳର ଝରକା ଗ୍ରୀଲ୍ ଭାଙ୍ଗି ଗୋଟିଏ ଛେଳି ଚୋରି ହୋଇଛି। ତାପରେ ଖୋଜାଖୋଜି କଲା ବେଳେ ସେହି ଗ୍ରାମର ନାରାୟଣ ଗୌଡ ନାମକ ଜଣେ ବ୍ୟକ୍ତି ୨୬ତାରିଖ ରାତି ପ୍ରାୟ ୨ଟା ସମୟରେ ୩ଜଣ ଅଜଣା ବ୍ୟକ୍ତି ଏକ କଳା ରଙ୍ଗର ପଲ୍ସର ବାଇକ୍ ରେ ଆସି ତାଙ୍କ ଗୁହାଳରୁ ଛେଳି ଚୋରି କରି ନେଇଥିବା କହିଥିଲେ।ଏହା ଶୁଣି କବିରାଜ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଛେଳିକୁ ପାଇ ନଥିଲେ।ତେଣୁ ୨୭ତାରିଖରେ ସେ ଏସମ୍ପର୍କରେ ତାର ସିଂ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ କେସ ନଂ ୩୬୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ଘଟଣାରେ ସଂପୃକ୍ତ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବ ପୁଆ ଗ୍ରାମର ଶିବ ନାୟକ, ବଳରାମ ନାୟକ ଓ ଉପେନ୍ଦ୍ର ସେଠୀ ତିନିହେଁ ମିଶି ଛେଳି ଚୋରୀ କରି ନେଇ ବେଲଗୁଣ୍ଠା ମେନ ରୋଡ଼ ରେ ରହୁଥିବା ମାଂସ ବ୍ୟବସାୟୀ ମହମ୍ମଦ ସୋଏବକୁ ତାହା ବିକ୍ରୀ କରିଥିବା ଜଣାପଡ଼ିଥିଲା।ପୋଲିସ ସୋଏବ ନିକଟରୁ ଚୋରୀ ଛେଳିକୁ ଉଦ୍ଧାର କରିବା ସହ ଚୋରୀ ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment