ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଫେରାର ।

ଯାଜପୁର,୧୭/୦୧(ପିପିଟି): ସ୍କୁଲ ଓ କଲେଜ ହେଉଛି ଶିକ୍ଷାର ମନ୍ଦିର । ଶିକ୍ଷାଦାନ କରୁଥିବା ଗୁରୁଙ୍କ ସମ୍ମାନ କାହିଁ କେତେ ଉଚ୍ଚରେ । ହେଲେ ଶିକ୍ଷାର ମନ୍ଦିରରେ କଳଙ୍କର ଛିଟା ଲାଗିଛନ୍ତି ଜଣେ ବରିଷ୍ଠ ଅଧ୍ୟାପକ । ଘଟଣାର ସମାଧାନ କରିବାକୁ ଚାପ ପକାଇଥିଲେ ମଧ୍ୟ ଅସଫଳ ହେବାରୁ ଗିରଫ ଭୟରେ ଏବେ ଫେରାର ହୋଇ ଯାଇଛନ୍ତି । ବାଲିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଶ୍ରେଣୀ ଗୃହ ଭିତରେ ଅଧ୍ୟାପକ ଅସଦାଚରଣ କରିଥିବାର ଛାତ୍ରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବରୀ ପୋଲିସ ମାମଲା ରୁଜୁ କରି ଫେରାର ଅଧ୍ୟାପକଙ୍କୁ ଖୋଜୁଛି । ଥାନାରେ ଅଭିଯୋଗ କରିଥିବା +୩ ଶ୍ରେଣୀର ଛାତ୍ରୀ ତାଙ୍କ ଅଭିଯୋଗ ରେ ଲେଖିଛନ୍ତି ଗତ ୬ ତାରିଖ ଦିନ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିଲା । ଏହି ସମୟରେ ଅଧ୍ୟାପକ ବିଦ୍ୟାଧର ଧଳ ତାଙ୍କ ନିକଟରୁ ମୋବାଇଲ ମାଗି ନେଇଥିଲେ । ପରେ ମୋବାଇଲ ଫେରାଇବା ବାହାନାରେ ଅଧ୍ୟାପକ ଧଳ ଏକ କୋଠରୀକୁ ଡାକି ସେଠାରେ ତାଙ୍କୁ ଧରି ଅସଦାଚରଣ ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ପାଟି କରିବାରୁ ଜଣେ କର୍ମଚାରୀ ଘଟଣା ସ୍ଥଳକୁ ଆସି ସବୁ ଦେଖି କିଛି ନ ଦେଖିଲା ପରି ସେଠାରୁ ପଳାଇ ଯାଇଥିଲେ । ପରେ ପାଟି ଶୁଣି କିଛି ଛାତ୍ର ସେଠାରେ ରୁଣ୍ଡ ହେବାରୁ ଅଧ୍ୟାପକ ଜଣକ ସେଠାରୁ ଖସି ପଳାଇଥିଲେ । ଭୟରେ ଛାତ୍ରୀ ଜଣକ ଘରକୁ ଯାଇ ନିଜ ମାଙ୍କୁ ଏ ବିଷୟରେ ଜଣାଇଥିଲେ । ପୂର୍ବରୁ ଅପରେସନ ହୋଇଥିବା ତାଙ୍କର ଏକ ଗୋଡ଼ ଏହି ସମୟରେ ଆଘାତପ୍ରାପ୍ତ ହୋଇଥିବାରୁ ସେ ଭୁବନେଶ୍ୱର ଯାଇ ଚିକିତ୍ସା କରିଥିଲେ । ହେଲେ ଘଟଣା ପରେ ଅଧ୍ୟାପକ ଧଳ ଘଟଣାର ସମାଧାନ କରିବାକୁ ଚାପ ପକାଇଥିବା ଅଭିଯୋଗ ହୋଇଛି । ଘଟଣାର ସମାଧାନ ନ କଲେ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରି ଦେବାକୁ ବି ଧମକ ଦିଆ ଯାଇଥିବା ଅଭିଯୋଗ ହୋଇଛି । ହେଲେ ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ଏଥିରେ ଚାପ ଗ୍ରସ୍ତ ନ ହୋଇ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇ ୧୬/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ବେଳେ କଲେଜ ଯାଇ ଏ ବିଷୟରେ ପଚରା ଉଚୁରା କରିଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକ ଫେରାର ହୋଇ ଯାଇଥିବା ବେଳେ ତାକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଅପରପକ୍ଷେ କିଛି ବ୍ୟକ୍ତି ଘଟଣାର ସମାଧାନ କରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ଜଣାଯାଇଛି । ଛାତ୍ରୀଙ୍କ ପାଟି ଶୁଣି ସବୁ ଦେଖି ନିରବ ରହିଥିବା କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । କିଛି ଦିନ ପୂର୍ବରୁ ବରୀର ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀଙ୍କୁ ବିଚ ରାସ୍ତାରେ ମାଡ଼ ମରାଯିବା ଭିଡିଓ ଭାଇରାଲ ହୋଇ ଆଲୋଡନ ସୃଷ୍ଟି କରିଥିଲା । ଏହା ପରେ ଅଧ୍ୟାପକଙ୍କ ଅସଦାଚରଣ ମାମଲା ଶିକ୍ଷା ବ୍ୟବସ୍ଥାରେ କଳଙ୍କ ବୋଳିଛି । ବିଭିନ୍ନ କଲେଜରେ ବିଶେଷ କରି ଅଧ୍ୟାପକ ମାନେ ମଦ୍ୟପାନ କରିବା,ଟିଉସନ ନ କଲେ ଫେଲର ଧମକ ଦେବା ନିତିଦିନିଆ କଥା ହୋଇଛି । ସେଥିରେ ଏବେ ଅସଦାଚରଣ ମାମଲା ଯୋଡି ହୋଉଛି ।

Comments (0)
Add Comment