ଛାତ୍ରବୃତ୍ତି ଓ ବରିଷ୍ଠଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ବିଧାୟକ ।

ଭଞ୍ଜନଗର, ୨୦/୦୧(ପିପିଟି) : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା କୁଳ ଗୃହ ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳ ତରଫରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାବୃତ୍ତି ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କୁଳର ଜାତୀୟ ପତାକାକୁ ସଭାପତି ଉତ୍ତୋଳନ କରିଥିଲେ। ଛାତ୍ରୀମାନେ କୁଳ ସଙ୍ଗୀତ ଗାନ ଓ ବିଭୁ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ତଥା କୁର୍ମୀ କ୍ଷତ୍ରିୟ ସଂସ୍ଥାର ବାରୁଡ଼ା ଅଞ୍ଚଳ ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜାତି ପ୍ରତି ଥିବା ବଳିଦାନ ସମ୍ପର୍କରେ ଓ କୁର୍ମି କ୍ଷତ୍ରିୟ ଜାତି କେତେ ମହାନ ସେ ବିଷୟରେ ନିଜର ବକ୍ତବ୍ୟ ରଖି କୁର୍ମି କ୍ଷତ୍ରିୟ ସଂସ୍ଥାର ମେଧାବୀ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାମୁଣ୍ଡା ଅଞ୍ଚଳର ସ୍ଥାୟୀ ସଭାପତି ଅକ୍ଷୟ କୁମାର ଦଳବେହେରା ସଭାପତିତ୍ବ କରିଥିଲେ । ମୁଖ୍ୟବକ୍ତା ଭାବେ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଯୋଗଦେଇ ଛତ୍ରପତି ଶିବାଜୀଙ୍କ କୁଳ ପାଇଁ ଅବଦାନ ଓ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ନେଇ କୁର୍ମୀ କ୍ଷତ୍ରିୟ ସଂସ୍ଥା କାମ କରୁଥିବାରୁ ସଂସ୍ଥାକୁ ପ୍ରଶଂସା କରିଥିଲେ । ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ସମ୍ପାଦକ ବଂଶୀଧର ନାୟକ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଦୁଆ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜାତୀୟ ପଦାଧିକାରୀ ବଂଶୀଧର ନାୟକ, ଗଙ୍ଗାଧର ନାୟକ, ସହ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ସାଂଗଠନିକ ସମ୍ପାଦକ ଓମ୍ ପ୍ରକାଶ ପ୍ରଧାନ, ଆଇନ ପରାମର୍ଶଦାତା ବିନାୟକ ପ୍ରଧାନ, ସର୍ବୋପରି କୂଳାଧିକାରି ଅନ୍ତର୍ଯ୍ୟାମୀ ପ୍ରଧାନ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କୁର୍ମୀ ଜାତି ପ୍ରେମୀ ତଥା ଜାତିର ଉତ୍ଥାନରେ କର୍ଣ୍ଣଧାର ସାଜିଥିବା ୯ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଉତ୍ତରୀୟ ତଥା ମାନପତ୍ର ବିଧାୟକଙ୍କ ଦ୍ଵାରା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଛାମୁଣ୍ଡା ଅଞ୍ଚଳର ଦଶମ ବର୍ଗ, +୨ ଓ +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବର୍ଗର ୩୩ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ଆର୍ଥିକ ରାଶି ପୁରସ୍କାର ରୂପେ ପ୍ରଦାନ କରାଯାଇଥିଲା । ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଓ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାମୁଣ୍ଡା ଗ୍ରାମ କମିଟି ସଭାପତି ଧବଳେଶ୍ଵର ପ୍ରଧାନ, ଭାବସର ଗ୍ରାମ କମିଟି ସମ୍ପାଦକ ସରୋଜ କୁମାର ନାୟକ, ଲଡୁ କିଶୋର ପ୍ରଧାନ, ଯୁବ ସ୍ବେଚ୍ଛାସେବୀ ସନ୍ତୋଷ କୁମାର ଦଳବେହେରା, ରୀଙ୍କୁ ସେନାପତି, ପରିଚିକା ନାରାୟଣ ପ୍ରଧାନ, ସ୍ବେଚ୍ଛାସେବୀ ମନୋଜ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ ଛାମୁଣ୍ଡା ଅଞ୍ଚଳ ଉପସଭାପତି ଉପେନ୍ଦ୍ର ଭଞ୍ଜ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment