କାର୍ତ୍ତିକ ମାସକ ଆଇଁଷ ବାଜିନି
ଧର୍ମ କର୍ମ ସବୁ ହେବ ଭ୍ରଷ୍ଟ….
ପୂର୍ଣ୍ଣିମା ସରିଲେ ଛାଡ ଖାଇ ବାର
ମାଛ ମାଉଁସରେ ହେବ ତୁଷ୍ଟ….!!
ଗୋଟିଏ ମାସଟା ବଡ କଲବଲ
ଅରୁଆ ଡାଲମା ଗିଳି ଗିଳି…
ଜିହ୍ୱାଟା କାହିଁକି ଅରୁଚି ଲାଗଇ
ଛାଡ ଖାଇ ଡେରି ହୁଏ ବୋଲି….!!
ବେପାରଟା ବେଶି ପନିପରିବାର
ଛୁଇଁବାକୁ ଲାଗେ ଭାରି ଡର….
ଯାହାକୁ ପଚାର କିଲୋ ଶହେ ଶହେ
ଶାଗର ଦରକୁ ନପଚାର…!!
ଭେଣ୍ଡି ବାଇଗଣ କଖାରୁ ବୋଇତି
ଲାଉ ଜହ୍ନି ଆଉ କୁଜି ସାରୁ….
ସଜନା ଛୁଇଁଟା ବଡ ମହରଗ
ଫୁଲ କୋବି ଖସେ ଧରୁ ଧରୁ….!!
ଝୁଡୁଙ୍ଗ ବିନିସି ଭଣ୍ଡା ଆଳୁ ଯେତେ
କଲରା ଛଚିନ୍ଦ୍ରା ମୂଲଚାଲ….
ପିଆଜ ରସୁଣ ଅଦା ଦରଦାମ
ଦାମ ପଚାରିବା ବଡ ଭୁଲ…!!
ଖାଇବା ତେଲର ପ୍ରତି ଦିନ ଦର
ବଢ଼ିବାରେ ନାହିଁ ନିୟନ୍ତ୍ରଣ….
ମନଇଛା ଖାଲି ବେପାରୀ ତୁଣ୍ଡରୁ
କଥା ବାରେ ବଡ ଟାଣ….!!
ମାନ୍ଦା ଅବସ୍ଥାରେ ଦିନ କାଟୁଛନ୍ତି
ମାଛ ମାଂସ ଅଣ୍ଡା ବେପାରୀ….
ଛାଡ ଖାଇ ଯେବେ ଆସିବ ପାଖେଇ
ନେଇ ଯିବେ ଟଙ୍କା କୋରିକାରୀ….!!
ଯାହା ଦାନ୍ତ ଟାଣ ହାଡ ଗୋଡ ମାଂସ
ଚୋବାଇ ପାଇଁ ବଡ ଆଶା….
ଦାନ୍ତ ଦୁରୁବଳ ମାଛ ଅଣ୍ଡା ପାଇଁ
ଭୁଞ୍ଜିବାରେ କରେ ଭରସା….!!
ମାଛ ମାଂସ ଅଣ୍ଡା ଖିଆ ଯେବେ ହେବ
ପରିବାକୁ ଆଉ କେ ପଚାରେ….
ପରିବାର ବିକାଳି ଛାଡି ବୋବାଳି
ନିଅ ଭାଇ ନିଅ ଶସ୍ତାରେ….!!
ପରିବା ବିକାଳି ପରିବା ଶୁଖାଇ
ପୋଚକା ଫୋପାଡି କରେ ଦୁଃଖ…
ମନ ମାରି ଖାଲି ରୋଦନ କରଇ
ଛାଡଖାଇ ବୁଡାଇଲା ଭେକ….!!
ଏଗାର ମାସକ ଆଇଁଷ ଝୋଳରେ
କରୁଥାଏ ସଦା ମନ ତୋଷ…..
ପାପ ଯେତେ କଲେ ଚିନ୍ତା କର ନାହିଁ
କାର୍ତ୍ତିକ ପାଳିଲେ ସବୁ ନାଶ….!!
ଏମିତି ଧରମ ଜୀଇଁବାକୁ ଦିଏ
ପାପଟା ପୁଣ୍ୟର ରୂପାୟନ…..
ମାଳା ଜପି ଦେଲେ ଦେହରୁ କଳଙ୍କ
କରୁ ଥାଏ ଧୀରେ ପଳାୟନ….!!
(କବି କେଶବ ଚନ୍ଦ୍ର ନାୟକ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)ମୋନ:୯୪୩୭୭୭୯୪୪୭