**ଛାଡ ଖାଇ**

ଛାଡ ଖାଇ ଏବେ ବଜାର ଭିଡ଼
ଆମିଷ ଭକ୍ଷଣେ ଇଛା ପ୍ରଗାଢ !!
କାର୍ତ୍ତିକ ପୂର୍ଣ୍ଣିମା ହୋଇଲା ଶେଷ
ମାର୍ଗଶିର ଏବେ ହେଲା ପ୍ରବେଶ !!
ମାସକ ପାଇଁ ଛାଡିଲେ ଆମିଷ
ସବୁ ଖାଦ୍ୟ ଯାକ ଲାଗଇ ବିଷ !!
ଆମିଷରେ ସଦା ମନ କାମନା
ଓଷା ବାର ବ୍ରତ ମିଥ୍ୟା ବାହାନା !!
ଲୋଭ ମାୟା ମୋହ ଧରି ଜନମ
ତ୍ଯାଗିବ କିପରି ଏହି ଦୁର୍ଗୁଣ !!
ମାଛ, ମାଉଁସରେ ପ୍ରବଳ ଇଛା
କଣ୍ଠସ୍ଥ ଭୁଞ୍ଜନ୍ତି ଖୋଲିଣ କଛା !!
ବଡ଼ ବଡ଼ ଚେକା ଭାକୁର ଖଣ୍ଡ
ଗ୍ରାସିବାକୁ ବ୍ୟଗ୍ର ଲାଳୁଆ ତୁଣ୍ଡ !!
କୁକୁଟ,ଛାଗଳ, ଝୋଳରେ ମଜା
ବଳି କି ପଡ଼ିବ ସାକର ଖଜା !!
ନରଙ୍କ ପୂର୍ବଜ ଜଙ୍ଗଲେ ଥିଲା
ପୋଡିଣ ମାଉଁସ ସେ ଗ୍ରାସୁଥିଲା !!
ପରେ ଧର୍ମ କର୍ମ ନୀତି ପାଳିଲା
ସ‍ଂଯମ, ସଂସ୍କାର ନିୟମ କଲା !!
ବାର ତିଥି ଦେଖି ଓପାସ କଲା
ମଦ, ମାଉଁସରେ ଦିନ କାଟିଲା !!
କରିଣ କୁକୃତ୍ଯ ଏଗାର ମାସ
କାର୍ତ୍ତିକ ମାସରେ ଛାଡେ ଆମିଷ !!
ରାମ କୃଷ୍ଣ ନାମ କରିଣ ଜପ
ପଡି ପ୍ରଭୁ ପାଦେ ଛାଡେ କି ପାପ !!
ଚିତା ଚଇତନ ଗୈରିକ ବସ୍ତ୍ର
କର୍ଣ୍ଣ ରେ ଶ୍ରବଣ ନାନାଦି ଶାସ୍ତ୍ର !!
ଦିଅଁ ଦରଶନ ଜପିଲେ ମାଳ
ପୂଣ୍ୟ କି ଲଭିବ ଚିତ୍ତରେ ଭାଳ !!
ସତ୍ଯ, ଧର୍ମ, ନ୍ୟାୟ ମାର୍ଗରେ ଗଲେ
ଅହିଂସା ଆଚର ଥିବଟି ଭଲେ !!
ପର ଦାରା ପର ଧନ ଆବର
ନଥିବ ଲାଳସା ମନ ମଧ୍ୟର !!
ମାନବ ସେବାରେ ମନ ଲଗାଇ
ସେହି ନର ପୂଣ୍ୟବନ୍ତ ବୋଲଇ !!
ତାମସିକ କାର୍ଯ୍ଯରେ ହୋଇଣ ଲିପ୍ତ
ଜପିଲେ ପାପ କି ହୋଇବ ଲୁପ୍ତ !!
ସାତ୍ବିକ ସଦ୍ଭାବ ଆଚର ଜନ
ତୁଣ୍ଡ ଲାଳସାକୁ କର ବର୍ଜନ !!
ସବୁ ମାସ ଅଟେ ପବିତ୍ର ମାସ
କହଇ କେଶବ ଚିନ୍ତି ମାନସ…!!

(କବି କେଶବ ଚନ୍ଦ୍ର ନାୟକ)

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

ମୋନଂ:୯୪୩୭୭୭୯୪୪୭

Comments (0)
Add Comment