ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ।

ଛତ୍ରପୁର,୧୮/୦୫(ପିପିଟି):ଛତ୍ରପୁରରେ ମେ ୪ ତାରିଖ ଠାରୁ ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ଚାଲିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯିବ । ଏହି ମହୋତ୍ସବ ଆସନ୍ତା ଜୁନ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ।

ଏଥିନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ,ପୋଲିସ୍ ପ୍ରଶାସନ ଓ ଆୟୋଜନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଚଳିତ ବର୍ଷର ମହୋତ୍ସବରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସହିତ ଛତ୍ରପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆୟୋଜିତ ହେବ । ଏହା ସହିତ ଓରମାସ,ଓଡିଶା ଜୀବିକା ମିଶନ,ମିଶନ ଶକ୍ତି ଓ ସୁଭଦ୍ରା ଶକ୍ତି ସମେତ ବିଭିନ୍ନ ଲାଇନ ବିଭାଗର ସମନ୍ୱୟରେ ପ୍ରାୟ ୧୫୦ଟି ଷ୍ଟଲ୍ ଖୋଲାଯିବ। ଏହି ଷ୍ଟଲ୍‌ଗୁଡ଼ିକ ମାଧ୍ୟମରେ ଲୋକମାନଙ୍କୁ ସରକାରୀ ଯୋଜନା,ସ୍ୱାସ୍ଥ୍ୟ,ସ୍ୱଚ୍ଛତା,ପାନୀୟ ଜଳ,କୃଷି,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମ୍ପର୍କିତ ସଚେତନତା ପ୍ରଦାନ କରାଯିବ ।

ମହୋତ୍ସବରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବା ସହିତ କଳା ଓ ସଂସ୍କୃତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ୩୦ଟି ଟ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ବିଭିନ୍ନ ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରାଯିବ । ଆଇନ-ଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା, ଅଗ୍ନି ନିରାପତ୍ତା,ବିଦ୍ୟୁତ୍,ପରିମଳ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମହୋତ୍ସବ ସମୟରେ ଆଇନ-ଶୃଙ୍ଖଳା ସୁଚାରୁ ରଖିବା ପାଇଁ ପୋଲିସ୍ ମୁତୟନ କରାଯିବ ।

ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଓରମାସ ଡେପୁଟି ସିଇଓ ଡ଼ଃ ରାଜଗୋପାଳ ଦାଶ, ଓଡିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରଥ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଜୟ କୃଷ୍ଣ ମହାପାତ୍ରଙ୍କ ସମେତ ପୋଲିସ୍,ଫାୟାର,ଟାଟା ପାୱାର,କୃଷି,ମତ୍ସ୍ୟ, ଉଦ୍ୟାନ ,ପ୍ରାଣୀ ସମ୍ପଦ ଓ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment