ଛତ୍ରପୁର,୦୧/୦୪ : ଛତ୍ରପୁର ପୁଲିସ ପଡିଆ ଠାରେ ୯୦ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଗଞ୍ଜାମ ପୁଲିସ ଜିଲ୍ଲା ଏସପି ସୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜିର ଦିବସ ଓଡିଶା ପୁଲିସ ପାଇଁ ଗର୍ବ ଓ ଗୌରବର ଦିବସ । ଜନସାଧାରଣଙ୍କ ସେବା ମନଭାବ ନେଇ ନିଜକୁ ଉତ୍ସର୍ଗ କରିବା । ଏହି ସଙ୍କଳ୍ପ ହିଁ ହେବ ଆମମାନଙ୍କ ପାଇଁ ସହିଦ୍ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ ପୁଲିସ ବାହିନୀକୁ ଉଦ୍ବୋଧନ ଦେଇଥିଲେ । ଏବେ ପୁଲିସ ର ଦିନକୁ ଦିନ ତାର ଦାୟିତ୍ୱ ବଢ଼ି ଯାଇଛି । ପୁଲିସ ସବୁ ଚ୍ୟାଲେଞ୍ଜକୁ ସଫଳତା ସହ ମୁକାବିଲା କରୁଛି । ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୁଲିସ କାର୍ଯ୍ୟକାରୀ କରି ଆସୁଛି । ପୁଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ମଧ୍ୟ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା । ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କରୁଛି ପୁଲିସ । ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ହେଉଛି ଆମ୍ଭର ପ୍ରଥମ ଧର୍ମ । ୧୯୩୬ ମସିହାରୁ ଏହି ଦିବସ ପାଳନ କରାଯାଉଅଛି । ଏହି ଅବସରରେ ଏସପି ଶ୍ରୀ ପାତ୍ର ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ସମାରୋହରେ ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ସରଜେଣ୍ଟ ବିକାଶ କୁମାର ସେନାପତି ସହଯୋଗ କରିଥିଲେ । ଏହି ସମାରୋହରେ ଗଞ୍ଜାମ ପୁଲିସ ଜିଲ୍ଲାରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ୫ଜଣ ଙ୍କୁ ପୁରସ୍କୃତ କରାଯାଇଥିଲା । ସବ୍ଇନ୍ସପେକ୍ଟର ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ସୁମନ୍ତ କୁମାର ବେହେରା, ହାବିଲଦାର ବି. କାମରାଜୁ ଦୋରା, ଏପିଆର କନଷ୍ଟେବଳ ଟୁନା ମଲ୍ଲିକ ଓ କନଷ୍ଟେବଳ ଦିଲ୍ଲୀପ କୁମାର ବେହେରା ଙ୍କୁ ଏସ୍ପି ସମ୍ମାନିତ କରିବା ସହ ପୁରସ୍କୃତ କରିଥିଲେ । ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଚିନ୍ମୟ କୁମାର ନାୟକ, ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ,ସଂପାଦକ ସୁବାସ ସେଠୀ,ରାବଣା ରାଓଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।