ହିଞ୍ଜିଳିକାଟୁ,ତା-୦୪/୧୧(ପିପିଟି) ;କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ହୋଇ ଜୀବିକା ନିର୍ବାହ କରି ଆସୁଥିବା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମ ପଞ୍ଚାୟତର ୧୭୭, ଦରୁଭଦ୍ରା ୯୩, କଞ୍ଚୁରୁ ୨୮, ସାରୁ ୨୨୮, ଦୁରୁବନ୍ଧ ୧୪, ଶାସନ ଆମ୍ବ ଗାଁ ୨୨୫, ପୋଚିଲିମା ୭୨, ପୁଟିଆ ପଦର ୧୨, ମକରଝୋଳ ୧୧୯, ସିକିରି,୨୦ ଓ ଅନ୍ତରି ଗାଁ ୩୦ ଜଣ ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଗତ ଫେବୃଆରୀ ୨୦୧୯ରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଆବେଦନ ପତ୍ର ଦାଖଲ କରିଥିଲେ। ଦୀର୍ଘ ୨୦ ମାସ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ପଞ୍ଜିକରଣ ହୋଇପାରି ନାହିଁ। ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଷ୍ଟାପ ଅଭାବ, ଭେରିଫିକେସନ୍ କହି ସମୟ ପରେ ସମୟ ଗଡେଇ ଚାଲିଛନ୍ତି । ଶେଷରେ ବାଧ୍ୟହୋଇ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ (ଟି.ୟୁ.ସି.ଆଇ) ୧୫ ଦିନ ମଧ୍ୟରେ ଆବେଦନକାରୀଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରା ନଗଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ୨୦ ଅକ୍ଟୋବର ୨୦୨୦ରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳ, ଯୁଗ୍ମ ଶ୍ରମ କମିଶନର, ଜିଲ୍ଲା ଆରଖି ଅଧୀକ୍ଷକ, ଗୋଷ୍ଠୀ ଉନୟନ ଅଧିକାରୀ ହିଞ୍ଜିଳିକାଟୁ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ(ପୋଲିସ), ସଂପୃକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନଙ୍କୁ ପ୍ରଦାନ କରା ଯାଇଥିଲା। ତଥାପି କୌଣସି ସୁଫଳ ମିଳିଲା ନାହିଁ। ବିଳମ୍ବ ହେବା ଦେଖି ଟି.ୟୁ.ସି.ଆଇ ଗଞ୍ଜାମ ଜିଲ୍ଲା ସଭାପତି ଶଙ୍କର ସାହୁ,ଉପସଭାପତି ଜନାର୍ଦ୍ଦନ ସେଠୀ,ସମାଜ ସେବୀ ନୀଳ ଭଉଳ, ନାରାୟଣ ବରଡ,ପି ଯୋଗେନ୍ଦ୍ର, ରାଜେନ୍ଦ୍ର କୁମାର ସେଠୀ ଏବଂ ଅରୁଣ ଭଉଳଙ୍କ ନେତୃତ୍ୱରେ ଆଜି ଶତାଧିକ ମହିଳା ଶ୍ରମିକଙ୍କୁ ଉପସ୍ଥିତିରେ ହିଞ୍ଜିଳିର କନକ ଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଠାରେ ଶ୍ରମିକ ମାନେ ଆସନ୍ତା ୧୧/୧୧/୨୦୨୦ ତାରିଖ ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ନେଇଛନ୍ତି।
(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)