ଛତ୍ରପୁରରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ।

ଛତ୍ରପୁର,୨୭/୦୭(ପିପିଟି): ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଜାତୀୟ ଉତ୍ସବ ଯାକଜମକରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଆଶାପ୍ରକଟ କରିଥିଲେ ।

ଏହି ଜାତୀୟ ଦିବସ ପାଳନ ଉପଲକ୍ଷେ ଅଗଷ୍ଟ ୫ ତାରିଖରେ ଚିତ୍ରାଙ୍କନ ଓ ପ୍ରବନ୍ଧ, ଅଗଷ୍ଟ ୬ ତାରିଖରେ ଓଡିଆ ଏବଂ ଇଂରାଜୀ ବକ୍ତୃତା ଏବଂ ଅଗଷ୍ଟ ୭ ତାରିଖରେ ଓଡିଆ/ହିନ୍ଦୀ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଛତ୍ରପୁରସ୍ଥିତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ବାଧୀନତା ଦିବସ ଦିନ ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଅଗଷ୍ଟ ୧୪ ତାରିଖ ସଂଧ୍ଯା ସମୟରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ, ବ୍ଯାବସାୟିକ ପ୍ରତିଷ୍ଠାନ ଗୁଡୁକୁ ରଙ୍ଗବେରଙ୍ଗ ଆଲୋକରେ ସଜ୍ଜିତ କରିବା ପାଇଁ ଅନୁରୋଧ କରାଯାଇଛି । ପୂର୍ବାହ୍ନ ଘ.୯.୧୫ମି. ସମୟରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିବେ । ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଛତ୍ରପୁର ଗଣମାଧ୍ଯମଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଅପରାହ୍ନ ଘ. ୨ .୩୦ମି. ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ (ଜଉଗଡ) ଠାରେ ଦେଶାତ୍ମବୋଧ ବହୁଭାଷୀ କବିତାପାଠୋତ୍ସବ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ପ୍ୟାରେଡ୍ ଅଭ୍ୟାସ ଅଗଷ୍ଟ ମାସ ୧୧ ତାରିଖ ଠାରୁ ଆରମ୍ଭ ହେବ । ସନ୍ଧ୍ୟା ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି,ଶିକ୍ଷାନୁଷ୍ଠାନର ମୁଖ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।

Comments (0)
Add Comment