ଛଅ ଜଣ ନାବାଳିକା ଉଦ୍ଧାର ,ଜଣେ ଗିରଫ ।

ଲକାନଗିରି,ତା:୧୩/୦୬(ପିପିଟି);କାଲିମେଳା ଥାନା ଅନ୍ତର୍ଗତ ଏମପିଭି -୧୦ ଗ୍ରାମର ସୁଜିତ୍ ବିଶ୍ବାସ ଛଅ ଜଣ ନାବାଳିକା ସମେତ ୧୧ ଜଣଙ୍କୁ ଅନ୍ୟ ରାଜ୍ଯକୁ ଦାଦନ ଖଟାଇବାକୁ ଚାଲଣ କରୁଥିବା ବେଳେ କାଲିମେଳା ପୋଲିସ ଅଭିଯୁକ୍ତ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଏମପିଭି -୧୦ ଗ୍ରାମର ସୁଜିତ କୁମାର ବିଶ୍ବାସ ଗତ କାଲି ମାଥିଲି ବ୍ଲକର ମହୁପଦର ଏବଂ ଟେମୁର ପାଲ୍ଲୀ ପଞ୍ଚାୟତରୁ ୧୧ ଜଣଙ୍କୁ ଦାଦନ ଖଟାଇବା ପାଇଁ ଏକ ବୋଲେର ଗାଡିରେ ବସାଇ ଚେନ୍ନାଇ ଅଭିମୁଖେ ନେଉ ଥିବା ବେଳେ ପଟେରୁ ଠାରେ ଉକ୍ତ ଗାଡ଼ିର ଚକା ପଞ୍ଚଚର୍ ହୋଇଯାଇଥିଲା । ଫଳରେ ସେହି ଗାଡିରେ ବସିଥିବା କିଛି ନାବାଳିକା ଝିଅ ପଟେରୁ ବଜାରରେ ବୁଲାବୁଲି କରିବା ପାଇଁ ବାହାରକୁ ବାହାରିଥିଲେ । ଠିକ ଏହି ସମୟରେ ପଟେରୁ ଠାରେ କିଛି ଲୋକମାନେ ଜାଣି ପାରି ନିକଟସ୍ଥ ପଟେରୁ ଫାଣ୍ଡି ପୋଲିସକୁ ନାବାଳିକା ଶ୍ରମିକ ଚାଳାଣ ସଂପର୍କରେ ସୂଚନା ଦେଇଥିଲେ । ତୁରନ୍ତ ପଟେରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଜିତ କୁମାର ବିଶ୍ବାସ ଏବଂ ଗାଡିରେ ଯାଉଥିବା ଝିଅମାନଙ୍କୁ ପଚରାଉଚରା କରିଥିଲେ । ସେମାନଙ୍କୁ ଚନ୍ନାଇ ନିଆ ଯାଉଥିବା ଜଣା ପଡିବା ଫଳରେ ଅଭିଯୁକ୍ତ ସୁଜିତକୁ ଗିରଫ କରାଯିବା ସହ ୯ ଜଣ ଝିଅଙ୍କୁ ଉଦ୍ଧାର କରା ଯାଇଥିଲା । ସମୂଦାୟ ୧୧ ଜଣ ଶ୍ରମିକ ମଧ୍ଯରୁ ୬ ଜଣ ନାବାଳିକା ,୩ ଜଣ ଝିଅ ୧୮ ବର୍ଷରୁ ଊର୍ଦ୍ଧ ହୋଇଥିବା ବେଳେ ୨ ଜଣ ପୁରୁଷ ଥିବା କୁହା ଯାଇଛି । ୯ ଜଣ ଝିଅଙ୍କୁ ଆଜି ମାଲକାନଗିରି ସଦର ମହକୁମା ସ୍ବଧାର ଗୃହରେ ରଖା ଯାଇଛି । ୨ ଜଣ ପୁରୁଷ ବ୍ଯକ୍ତି ନିଜ ଗ୍ରାମକୁ ଚାଲି ଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତି । ଆଜି କାର୍ଯ୍ଯାଳୟ ଛୁଟି ଥିବାରୁ ସେମାନଙ୍କ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ଯ ସଂଗ୍ରହ କରା ଯାଇ ପାରି ନାହିଁ । ଅନ୍ଯପକ୍ଷରେ କାଲିମେଳା ପୋଲିସ ଅଭିଯୁକ୍ତ ସୁଜିତ ବିଶ୍ବାସକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment