ଚୌଦ୍ୱାର ଜେଲ୍ ମିନିଟ୍ସ ବୁକ୍ ଜାଲିଆତି: ଅଧୀକ୍ଷକ ଗିରଫ ।

କଟକ: ଚୌଦ୍ୱାର ସର୍କଲ୍ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳଙ୍କୁ ମିନିଟ୍ସ ବୁକ୍ରେ କଥିତ ଜାଲିଆତି ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ୱରର ସହିଦନଗରସ୍ଥିତ ବାସଭବନରୁ ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ଚୌଦ୍ୱାର ଜେଲ୍ରେ ହିଁ ରଖାଯାଇଛି। ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର ୨ ରାତିରେ ଚୌଦ୍ୱାର ଜେଲ୍ରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ନାମକ ଦୁଇ ବନ୍ଦୀ ଫେରାର ହୋଇଥିଲେ। ସେତେବେଳେ ଅଧୀକ୍ଷକ ଶ୍ରୀ ରାଉଳ ଡ୍ୟୁଟିରେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଥିଲା। ନିଜ ଅନୁପସ୍ଥିତି ଲୁଚାଇବା ପାଇଁ ସେ ଜେଲ୍ର ମିନିଟ୍ସ ବୁକ୍ରେ କଥିତ ଭାବେ ତଥ୍ୟ ବଦଳାଇଥିବା ଏବଂ ଜେଲରଙ୍କ ଅଜାଣତରେ ତାଙ୍କ ଦସ୍ତଖତ ବ୍ୟବହାର କରିଥିବା ଅଭିଯୋଗ ରହିଛି। ଏନେଇ ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ। ମାମଲା ରୁଜୁ ପରେ ପୁଲିସ ମିନିଟ୍ସ ବୁକ୍ ସମେତ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଶ୍ରୀ ରାଉଳଙ୍କୁ ଏକାଧିକ ଥର ନୋଟିସ୍ କରିଥିଲେ। ଗିରଫଦାରୀ ଏଡ଼ାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ସୁରକ୍ଷା ପାଇଥିଲେ। ତେବେ ଅଗଷ୍ଟ ୨୯ରେ ହାଇକୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିବା ସହ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ପରେ ସେ ସେପ୍ଟେମ୍ବର ୪ରେ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ମାମଲାଟି ବିଚାରାଧୀନ ରହିଛି। ଏହା ମଧ୍ୟରେ ଚୌଦ୍ୱାର ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଚୌଦ୍ୱାର ଜେଲ୍ରେ ହାଜତକୁ ପଠାଯାଇଛି।

Comments (0)
Add Comment