ବୋଲଗଡ଼,୦୨/୦୮(ପିପିଟି): ରାଜ୍ୟରେ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଆଉ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷାହେତୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।ଶ୍ରାବଣ ମାସ ସରିବାକୁ ବସିଥିବାବେଳେ ବର୍ଷାର ଦେଖାନାହିଁ। ନିଅଣ୍ଟିଆ ବର୍ଷା ଯୋଗୁଁ କୃଷି ଉପରେ ନିର୍ଭର କରି ଚଳୁଥିବା ଚାଷୀ କିଭଳି ବର୍ଷସାରା ଚଳିବ ସେନେଇ ଚିନ୍ତାରେ ପଡିଛି ଚାଷୀ। କେତକ ସ୍ଥାନରେ ଧାନ ତଳି ପଡିଛି ହେଲେ ରୁଆ ହୋଇ ପାରୁନି । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ ।ବର୍ଷା ଅଭାବରୁ ଅଧିକାଂଶ ସ୍ଥାନରେ ଧାନ ରୁଆ ହୋଇ ନଥିବାବେଳେ ତଳି ବଞ୍ଚାଇବାକୁ ମଧ୍ୟ ପାଣିର ଅଭାବ ଦେଖା ଦେଇଥିବା ବେଳେ ଧାନ ରୋଇ ସାରିଥିବା ଚାଷୀ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବସିଛି । ମେଘ ଆସୁଛି ହେଲେ ବର୍ଷା ନାହିଁ । ଏଠାରେ ଜଳସେଚନର ଆଦୌ ସୁବିଧା ନଥିବାବେଳେ ଚାଷୀ ବର୍ଷା ଉପରେ ଭରସା କରି ଧାନ ଚାଷ କରିଥାଏ ।ବୋଲଗଡ଼ ବ୍ଲକରେ ଏକ ଶହରୁ ଉର୍ଦ୍ଧ୍ଵ ଚେକଡ୍ୟାମ ନିର୍ମାଣ ହୋଇ ଥିବାବେଳେ ସେଗୁଡିକ ଉପଯୁକ୍ତ ସ୍ଥାନରେ ନିର୍ମାଣ ହୋଇ ନଥିବା ଯୋଗୁଁ କୌଣସି ଚେକ ଡ୍ୟାମରେ ପାଣି ରହୁନାହିଁ ।ପାଣି ଅଭାବରୁ ଧାନ ରୁଆ ସରିଥିବା ଅଧିକାଂଶ ଜମି ଏବେ ଫାଟି ଆଁ କରିଥିବାବେଳେ ଧାନଗଛ ମଧ୍ୟ ପୋଡିଯିବାର ଦେଖାଦେଲାଣି। ଆଉ କେତକ ସ୍ଥାନରେ ପମ୍ପଦ୍ୱାରା ପାଣିଉଠାଇ ଧାନ ତଳି ରୋଉଥିବାର ଦେଖିବାକୁ ମିଳିଛି। ଚଳିତବର୍ଷ ଖରିଫ ୠତୁରେ ଭଲ ଅମଳ କରିବାକୁ ଚାଷୀ ଆଶା ରଖିଥିବାବେଳେ ଏବେ ହତାଶ ହୋଇପଡିଛି ।ଚାଷ କରିବାତ ଦୂରର କଥା ବୁଣିଥିବା ତଳିକୁ ବଞ୍ଚାଇବାକୁ ଚାଷୀ ଉଦ୍ୟମ କରୁଛି ।କିଛି ତଳିଆ ଜମିରେ ରୁଆ ପୋତା ଚାଲିଥିବାବେଳେ ଢିପ ଜମି ଗୁଡିକ ପାଣିଅଭାବରୁ ପଡିଆ ପଡିଛି ।
ଖରିଫରେ ଧାନ ଚାଷ କରିବାକୁ ଲକ୍ଷ ରଖିଥିବା ଚାଷୀ ମୁଁହରୁ ହସ ଲିଭିଯାଇଛି ।ବର୍ଷାକୁ ଚାତକ ପରି ଚାହିଁ ରହିଛି ଚାଷୀ । ତଳି ବଞ୍ଚାଇ ବାକୁ ପୋଖରୀରୁ ପାଣି ଆଣି ପକାଉଛି ।ଜଳସେଚନର ସୁବିଧା ନଥିବା କାରଣ ରୁ ଚାଷୀ ଏଭଳି ଦଶା ଭୋଗୁଛି ।ବୋଲଗଡ଼ ଅଞ୍ଚଳର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ମୌସୁମୀ ଆସିଲେ ଧାନ ବୁଣିବା ସହ ବର୍ଷା ହେଲେ ପାଗ ଦେଖି ଧାନ ରୋଇଥାନ୍ତି ।ଅଗଷ୍ଟ ମାସ ଶେଷ ଯାଏଁ ଧାନ ରୁଆ ଚାଲିଥାଏ । ତେବେ ବର୍ତ୍ତମାନସୁଦ୍ଧା ଅଧା ଜମିରେ ଧାନ ରୁଆ ହୋଇନଥିବା ଚିନ୍ତାର ବିଷୟ ପାଲଟିଛି। ଯାହା ବି ହୋଇଛି ସେଗୁଡିକୁ ବଞ୍ଚାଇବାକୁ ଯାଇ ଚାଷୀ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାର ଦେଖିବାକୁ ମିଳିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।