ଚିତ୍ରକୋଣ୍ଡା ଆମ୍ବେଦକର ସୋସାଇଟ ଆନୁକୁଲ୍ୟରେ ୧୩୪ତମ ବାବାସାହେବଆମ୍ବେଦକର ଜୟନ୍ତୀ ପାଳିତ ।

ମାଲକାନଗିରି,୧୫/୦୪(ପିପିଟି) :ଚିତ୍ରକୋଣ୍ଡା ଆମ୍ବେଦକର ସୋସାଇଟ ତରଫରୁ ବାବାସାହେବ ଡା ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ବରୀ ଖିଲ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସଂସଦ ସଭାପତି ତଥା ଲେଖକ କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବନ୍ୟାଞ୍ଚଳ ଅଧିକାରୀ ବଳରାମ ନାୟକ, ଅଧ୍ୟାପକ ପୁରୁଷୋତ୍ତମ ସମର୍ଥ, ସରପଞ୍ଚ ସଭାପତି କମୁଳୁ ହନ୍ତାଳ ଯୋଗଦେଇଥିବା ବେଳେ ସଂଘର ସଭାପତି ରାଧାକାନ୍ତ ମଣ୍ଡଳ ସଭାପତିତ୍ବ କରିଥିଲେ।
ମୁଖ୍ୟ ବକ୍ତା କେଶବ ଚନ୍ଦ୍ର ନାୟକ କହିଲେ ଯେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସଂଘର୍ଷ ବଳରେ ଏସସି,ଏସଟି,ଓବିସି , ଶ୍ରମିକ ଓ ମହିଳାମାନଙ୍କୁ ସମ୍ବିଧାନରେ
ସମାନତା ଅଧିକାର ପ୍ରାପ୍ତ ହୋଇଛି। ସମ୍ବିଧାନ ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକର ସମ୍ବିଧାନରେ ମାନବୀୟ ମୂଲ୍ୟବୋଧକୁ ଅଧିକ ଗୁରୁତ୍ବ ଦେଇ ସମାଜରେ ରହିଥିବା ପାରାମ୍ପାରିକ ରୁଢିବାଦୀ ମାନସିକତା ଓ ବର୍ଣ୍ଣ ବୈଷମ୍ୟ ନୀତିକୁ
ପ୍ରସୟ ଦେଇ ନାହାଁନ୍ତି। ଜାତି, ବର୍ଣ୍ଣ, ଲିଙ୍ଗ, ଭାଷା ଓ ଧର୍ମ ନିର୍ବିଶେଷରେ ସମସ୍ତେ ସମାନ ଓ ସମାଜରେ ବିନା ପକ୍ଷ ପାତରେ ଜୀଇଁବାର ଅଧିକାରକୁ ସନ୍ନିବେଶିତ କରିଛନ୍ତି। ସମସ୍ତ ନାଗରିକଙ୍କୁ ମୌଳିକ ଅଧିକାରର , ଅନୁସୂଚୀତ ଜାତି,ଜନ ଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଦେବା ଡା ବାବାସାହେବଙ୍କ ଅତୁଳନୀୟ ଅବଦାନକୁ
ତାଙ୍କ ଜନ୍ମ ଦିନରେ ସ୍ମରଣ କରିବା ଉଚିତ୍। ଯୁଗ ଯୁଗ ଧରି ସମାଜରେ ଦଳିତ ପତିତ ମାନଙ୍କ ଉତ୍ଥାନ ପାଇଁ ସେ ଆଜୀବନ
ସଂଘର୍ଷ କରିଥିଲେ।ସେ ହେଉଛନ୍ତି, ଆଧୁନିକ ଭାରତର ନିର୍ମାତା ଏବଂ ଭାରତୀୟ ସମ୍ବିଧାନର ଜନକ।
ମୁଖ୍ୟ ଅତିଥି ଶ୍ରୀମତୀ ରାଜେଶ୍ବରୀ ଖିଲ ବାବାସାହେବଙ୍କ ଜୀବନୀ ଉପରେ ଆଲୋକପାତ ପାତ କରି କହିଲେ ଯେ,
ଆଜି ଯଦି ସେ ଚିତ୍ରକୋଣ୍ଡାର ବ୍ଲକ୍ ଅଧ୍ୟକ୍ଷା ହୋଇଛନ୍ତି,ସେ ସବୁ
ଶ୍ରେୟ ବାବାସାହେବଙ୍କ ଲିଖିତ ସମ୍ବିଧାନରୁ ପ୍ରାପ୍ତ ହୋଇଛି। ଆଜି ଯଦି ସମାଜରେ ମହିଳାମାନଙ୍କର ସର୍ବାଙ୍ଗ ଉନ୍ନତି ହୋଇଛି, ସେ ସବୁର ବାବାସାହେବଙ୍କ ଆଶୀର୍ବାଦରୁ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ର ସଭାପତି ରାଧାକାନ୍ତ ମଣ୍ଡଳ
ବାବାସାହେବଙ୍କ ବାଲ୍ୟଜୀବନ କିପରି ଥିଲା , ସେ ସଂପର୍କରେ
ଆଲୋକ ପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଉମି ଜୟପାଉଲ, ସଂଗଠନ ସଂପାଦକ ରଘବୀର ଖରା,ଯୁଗ୍ମ ସଂପାଦକ ବିଭୂତି ମଣ୍ଡଳ,ସଦନ ଖରା, ଡମ୍ବରୁ ହରିଜନ, ବସନ୍ତ ବାଘ,ଲହି ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରି ଥିଲେ। ସକାଳେ ଡକ୍ଟର ବାବାସାହେବଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏବଂ ବିରାଟ ଶୋଭାଯାତ୍ରାରେ
ଚିତ୍ରକୋଣ୍ଡା ସହର ପରିକ୍ରମା କରାଯାଇ ଜୟ ଭୀମ ନାରାରେ
ଗଗନ ପବନ ପ୍ରକମ୍ପିତ ହୋଇଥିଲା। ସନ୍ଧ୍ୟାରେ ସମୟରେ ବାବାସାହେବଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟା ଯାଇ ଥିଲା।
ନିମନ୍ତ୍ରିତ ଅତିଥିମାନେ ମଞ୍ଚାସୀନ ରହି ବାବାସାହେବଙ୍କ ସ୍ମୃତି ଚାରଣ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment