ଚିକିଟି,୨୬/୦୨(ପିପିଟି) : ଗଞ୍ଜାମ ଜିଲ୍ଲାର ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଦକ୍ଷତା ବିକାଶ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜି ଚିକିଟି ମିନି ଷ୍ଟାଡିୟମ୍ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ମୋଟ ୧,୩୯୪ ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ୪୫ଟି ନିୟୋଜକ ଓ ୧୦ଟି ପ୍ରଶିକ୍ଷଣ ସହ ନିଯୁକ୍ତି ସଂସ୍ଥା ଭାଗ ନେଇଥିଲେ । ଏହା ସହିତ ଭାରତୀୟ ସେନା ଓ ଜେଏସଏସ ସଂସ୍ଥା ମଧ୍ୟ ନିଯୁକ୍ତି ମେଳାରେ ଯୋଗଦେଇ ଯୁବକଯୁବତୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।
ନିଯୁକ୍ତି ମେଳାରେ ୨୧୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏହା ସହ ୮୨୦ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଁ ଚୟନ ହୋଇଥିବା ବେଳେ ୧୮୧ ଜଣ ପ୍ରାର୍ଥୀ ପ୍ରଶିକ୍ଷଣ-ସହ-ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ଚୟନ ହୋଇଛନ୍ତି ।
ନିଯୁକ୍ତି ମେଳାକୁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଦ୍ଘାଟନ କରିଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଡିଏସଡିଇଓ, ଗଞ୍ଜାମ (ଭାରପ୍ରାପ୍ତ) ଭୁବନେଶ୍ୱର ମହାପାତ୍ର, ଚିକିଟି ବିଡିଓ ବିବେକାନନ୍ଦ ମିଶ୍ର, ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହ୍ନର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୁବକଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ ।