ଚାଷୀ ପଞ୍ଜିକରଣ ପାଇଁ ଆର ଏମ ସି ଦ୍ୱାରା ପ୍ରଚାର ରଥ ଶୁଭାରମ୍ଭ ।

ଭଞ୍ଜନଗର, ୦୪/୦୮(ପିପିଟି):ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆସନ୍ତା ନଭେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଖରିଫ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରା‌ଯିବ। ଏଥିପାଇଁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ଆଗୁଆ ପଞ୍ଜିକରଣ କରିବେ। ଏଥିପାଇଁ ସୋମବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଦୁଇଟି ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଭଞ୍ଜନଗର ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ରଥ ଉପଖଣ୍ଡର ସମସ୍ତ ବ୍ଲକ୍ ପରିକ୍ରମା କରି ପଞ୍ଜିକରଣ ବାବଦରେ ଚାଷୀ ଭାଇଙ୍କୁ ସଚେତନ କରିବ।ଚାଷୀ ପଞ୍ଜିକରଣ ଗତ ଜୁଲାଇ ୧୯ ତାରିଖ ରୁ ଆରମ୍ଭ ହେବ। ଖରିଫ ଧାନ ଚାଷ କରିଥିବା ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ସମସ୍ତ ଆଗ୍ରହୀ ଚାଷୀ ନିକଟସ୍ଥ ସମିତିରୁ ଗୋଟିଏ ନୂତନ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଚଳିତ ମାସ ୨୦ ତାରିଖ ମଧ୍ୟରେ ସମିତି କାର୍ଯ୍ୟାଳୟରେ ଆବେଦନ କରିବେ।ପଞ୍ଜିକରଣ ପାଇଁ ଇଚ୍ଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ ଆଧାର କାର୍ଡ଼,ମୋବାଇଲ ନମ୍ବର, ଜମି ପ୍ରମାଣପତ୍ର, ଜମି ମାଲିକଙ୍କ ସହମତି ପତ୍ର (ଭାଗଚାଷୀଙ୍କ ପାଇଁ), ରେକର୍ଡ଼ଧାରୀଙ୍କ ଠାରୁ ସହମତି ପତ୍ର (ନିଜ ବ୍ୟତୀତ) ତଥ୍ୟର ନକଲ ଦାଖଲ କରିବା ଆବଶ୍ୟକ । ଚାଷୀ ପଞ୍ଜିକରଣ ସମୟରେ ଆଧାର ଭିତ୍ତିକ ଇ-କେୱାଇସି ଜରୁରୀ ଅଟେ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଚାଷୀମାନେ ସମିତିରେ ପୂରଣ କରାଯାଇଥିବା ଫର୍ମ ଦାଖଲ କରିବାକୁ ଅନୁରୋଧ।ଖରିଫ ଧାନ ସଂଗ୍ରହ ସଂକ୍ରାନ୍ତିରେ କେଉଁ ମାସ ଓ ପକ୍ଷରେ ଧାନ ବିକ୍ରୟ କରିବେ, ତାହା ପଞ୍ଜିକରଣ ଫର୍ମରେ ଉଲ୍ଲେଖ କରିବେ। ଚାଷୀମାନେ ଶେଷ ତାରିଖକୁ ଅପେକ୍ଷା ନକରି ଅନୁମୋଦିତ ଫର୍ମରେ ଦରଖାସ୍ତ ଦାଖଲ କରିବାକୁ ଭାଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଅନୁରୋଧ କରାଯାଇଛି।ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଧାନ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ସରକାରଙ୍କର ଏକାନ୍ତ ଲକ୍ଷ୍ୟ। ଯଦି କୌଣସି ଅଭିଯୋଗ ଥାଏ ତେବେ ଦେୟମୁକ୍ତ ଫୋନ ନମ୍ବର ୧୯୬୭ରେ ସରକାରୀ କାର୍ଯ୍ୟ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ। ଅବଧି ପୂର୍ବରୁ ଚାଷୀ ଭାଇ ମାନେ ପଞ୍ଜୀକରଣ କରିବାକୁ ଆର୍ ଏମ ସି ସମ୍ପାଦକ ସୁମନ୍ତ ସହୁ ଅନୁରୋଧ କରିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment